ରାଉରକେଲା:13//3,(ଉତ୍କଳ ସମାଚାର)ଭାଷା ଓ ଜାତିକୁ ନେଇ ଓଡ଼ିଶାର ଅସ୍ମିତା, ସମଗ୍ର ବିଶ୍ୱରେ ପରିଚିତ l ଏହାର ସଂସ୍କୃତି ଓ ଭାଷାର ପ୍ରାଚୀନତା ବହୁ ସମୃଦ୍ଧ ଓ ପୁରାତନ ବୋଲି ଉତ୍କଳ ସମ୍ମିଳନୀ ଓ ବାସନ୍ତୀ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ପାଳନ ଅବସରରେ ଵକ୍ତାମାନେ ମତ ପୋଷଣ କରିଛନ୍ତି l ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ସଭାପତି ସୁଦାମ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ବାସନ୍ତୀ ସାଂସ୍କୃତିକ ପରିଷଦରେ ଅନୁଷ୍ଠିତ ଏହି ଉତ୍ସବ ପାଳନ ଅବସରରେ ମୁଖ୍ୟଵକ୍ତା ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ବକ୍ତବ୍ୟ ରଖିଥିଲେ ଯେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ବାର ବର୍ଷ ବିତିଯାଇଥିଲେ ମଧ୍ୟ ଆମେ ଆମର ମନୋଭାବକୁ ଦୃଢ଼ ଓ ସର୍ବୋଚ୍ଚ କରିପାରିନାହୁଁ l ଓଡ଼ିଆ ଜାତି କୌଣସି ପ୍ରକାର ହୀନମନ୍ୟତାକୁ ପସନ୍ଦ କରେ ନାହିଁ l ମୁଖ୍ୟ ଅତିଥି ତଥା ଅସ୍ଥିଶଲ୍ୟ ଚିକିତ୍ସକ ଡା. ଉତ୍ତମ କୁମାର ଜେନା ଓଡ଼ିଶାର ବୀରପୁତ୍ର ମାନଙ୍କର ବୀରତ୍ୱ ଓ ତ୍ୟାଗ ସମ୍ବନ୍ଧରେ ମନେ ପକାଇ କହିଥିଲେ ଯେ, ଵୀରଭୂମି ଉତ୍କଳର ଦାୟାଦମାନେ ହିନମନ୍ୟତା ଠାରୁ ଦୂରେଇ ରହିବା ଉଚିତ l ସଭାପତି ସୁଦାମ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରି କହିଥିଲେ ଯେ, ସୀମାନ୍ତ ଓଡ଼ିଶା ପ୍ରତି ସମ୍ମିଳନୀ ସଜାଗ ଦୃଷ୍ଟି ରଖିଛି l ସେ ଭାଷା ଓ ଜାତିପାଇଁ ସମର୍ପିତ ମଧୁବାବୁଙ୍କ ତ୍ୟାଗ ଓ ମହନୀୟତା ସମ୍ପର୍କରେ ଆଲୋଚନା କରିଥିଲେ l ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ କହିଥିଲେ ଯେ, ଉତ୍କଳ ସମ୍ମିଳନୀ ସମଗ୍ର ଓଡ଼ିଆ ଜାତିର ମିଳନ ମଣ୍ଡପ l ଓଡ଼ିଶାର ଭାଷା ଏବଂ ଭୂଖଣ୍ଡକୁ ଅକ୍ଷୁର୍ଣ ରଖିବା ସମଗ୍ର ଓଡ଼ିଆମାନଙ୍କର ଧ୍ୟେୟ ହେବା ଉଚିତ l ମଂଚାସୀନ ଶାଖାର ଉପ ସଭାପତି ଚିତ୍ତରଂଜନ ଦାଶ, ନବଘନ ପାଣି, ବାସନ୍ତୀ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ଭଗବାନ ମହାପାତ୍ର ପ୍ରମୁଖ ଶାସ୍ତ୍ରୀୟ ଭାଷା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଦସ୍ୟ ଜ୍ୟୋସ୍ନା ନାୟକ, ସୌଭାଗ୍ୟବତୀ ସାହୁ, ଉତ୍ତମ କୁମାର ବାରିକ, ଅଭିମନ୍ୟୁ ସ୍ୱାଇଁ,ଡ. ସୁବାସ ଲେଙ୍କା, ବିଜୟକୁମାର ସାହୁ, ଅଜୟ ପ୍ରଧାନ, ପ୍ରଦୀପ କୁମାର ମହାନ୍ତି, ସୁନୀଲ କୁମାର ମହାନ୍ତି, ଲକ୍ଷ୍ମଣ ପରିଡା ସହଯୋଗ କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନରୁ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଅନ୍ୟତମ ଉପ ସଭାପତି ଅନୀଲ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ l

