ସୁନ୍ଦରଗଡ଼:13//3,(ଉତ୍କଳ ସମାଚାର)ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ କନ୍ଯା ବିବାହ ଯୋଜନା (MKBY) ଅଧୀନରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ ଶଙ୍କରା ସ୍ଥିତ କଳ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ସାମୁହିକ ବିବାହ କାର୍ଯ୍ୟକ୍ରମରେ ଜିଲ୍ଲାର ୬୧ ଯୋଡ଼ି ଅଂଶ ଗ୍ରହଣ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସୂରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପ ଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁଚିତା ପଣ୍ଡା ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ବିବାହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ସାମୁହିକ ବିବାହ କାର୍ଯ୍ୟକ୍ରମରେ ମୋଟ ୬୧ ଯୋଡି ନିଜ ନିଜ ପିତାମାତା ଓ ପରିଜନମାନଙ୍କ ସହିତ ଯୋଗଦେଇ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ପସ୍ଥିତ ସମସ୍ତ ଅତିଥିମାନେ ନବଦମ୍ପତିଙ୍କୁ ଶୁଭଆଶୀର୍ବାଦ ପ୍ରଦାନ କରିବା ସହିତ ପରସ୍ପର ସମ୍ମାନ ଓ ବୁଝାମଣା ସହିତ ସୁଖମୟ ଦାମ୍ପତ୍ୟ ଜୀବନ ଯାପନ କରିବାକୁ ଆଶୀର୍ବାଦ ତଥା ପରାମର୍ଶ ଦେଇଥିଲେ। ପରେ ପରେ ନବ ଦମ୍ପତିମାନଙ୍କୁ ଅତିଥିମାନଙ୍କ ଦ୍ଵାରା ଚେକ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ସାମାଜିକ ଅନୁଷ୍ଠାନ ଦିଶା (DISHA ) କାର୍ଯ୍ୟନ୍ୱୟନ ସଂସ୍ଥାଙ୍କ ଦ୍ୱାରା ସଫଳତାର ସହ ଆୟୋଜିତ ହୋଇଅଛି। ଏଠାରେ ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅ ବାହାଘର ନିମନ୍ତେ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ମୋଟ ୬୦ ହଜାର ସହାୟତା ରାଶିରୁ ୪୫ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରାଯିବ ଏବଂ ୧୫ ହଜାର ଟଙ୍କା ବିବାହ ସାଜସଜ୍ଜା ନିମନ୍ତେ ପ୍ରଦାନ କରାଯିବ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ପରିବାରଗୁଡ଼ିକୁ ଏହି ଯୋଜନା ଅନ୍ତର୍ଗତ ବିବାହ ଆୟୋଜନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାର ମାର୍ଗଦର୍ଶିତା ଅନୁଯାୟୀ ଝିଅର ବୟସ ୧୮ ବର୍ଷରୁ ୩୫ ବର୍ଷ ଏବଂ ପୁଅର ବୟସ ୨୧ ବର୍ଷରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ। ପ୍ରଥମ ଥର ବିବାହ କରୁଥିଲେ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହୋଇପାରିବେ। ସେହିଭଳି ବିଧବା ମହିଳାଙ୍କ ପୁନଃ ବିବାହ ପାଇଁ ମଧ୍ୟ ଏହି ସହାୟତା ପ୍ରଦାନ କରାଯିବ। ସେହିଭଳି ବିଧବା, ଭିନ୍ୟକ୍ଷମ, ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG), ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି , ନିମ୍ନ ଆୟ ଥିବା ପରିବାରଗୁଡ଼ିକୁ ଏହି ଯୋଜନାରେ ପ୍ରାଥମିକତା ପ୍ରଦାନ କରାଯିବ।

