ରାଉରକେଲା ୧୩/୩,(ଉତ୍କଳ ସମାଚାର) ବଡଗାଁ ଥାନାର ଏଏସ୍ଆଇ ଅରୂପାନନ୍ଦ ଦାସ ଏକ ମାମଲାରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗତକାଲି ଭିଜିଲାନ୍ସ ଦ୍ବାରା ଗିରଫ୍ କରାଯାଇଛି। ସୂଚନା ଅନୁସାରେ, ସୁନ୍ଦରଗଡ଼ ବଡ଼ଗାଁ ପୋଲିସ ଷ୍ଟେସନର ଏଏସ୍ଆଇ ଅରୂପା ନନ୍ଦ ଦାସ ରାସ୍ତା ପାର୍ଶ୍ୱରେ ଥିବା ଏକ ହୋଟେଲ (ଢାବା) ମାଲିକଙ୍କୁ ଏକ ମାମଲାରେ ସାହାଯ୍ୟ କରିବା ଏବଂ ତାଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ଏଏସ୍ଆଇ ଶ୍ରୀ ଦାସ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ହୋଟେଲ ମାଲିକ ୨୫,୦୦୦ ଟଙ୍କା ନ ଦେଲେ ଏଏସ୍ଆଇ ଶ୍ରୀ ଦାସ ତାଙ୍କୁ ଗିରଫ କରିବାକୁ ଧମକ ଦେଇଥିଲେ। ତେଣୁ ହୋଟେଲ ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଇଥିଲେ। ସୂଚନା ପାଇବା ପରେ ଭିଜିଲାନ୍ସ ଅଧିକାରୀମାନେ ହୋଟେଲ ମାଲିକଙ୍କ ଠାରୁ ଶ୍ରୀ ଦାସ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏଥିସହିତ ଲାଞ୍ଚ ନେଉଥିବା ସମସ୍ତ ୨୫୦୦୦ ଟଙ୍କାକୁ ଭିଜିଲାନ୍ସ ବିଭାଗ ଜବତ କରିଥିଲେ। ଶ୍ରୀ ଦାସଙ୍କର ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତଲାସୀ ଆରମ୍ଭ କରାଯାଇଥିଲା। ଏ ସମ୍ପର୍କରେ, ରାଉରକେଲା ଭିଜିଲାନ୍ସ ପକ୍ଷରୁ ଏଏସ୍ଆଇ ଶ୍ରୀ ଦାସଙ୍କ ବିରୁଦ୍ଧରେ ୭ ପିସି (ସଂଶୋଧିତ) ଧାରା ୨୦୧୮ରେ କେସ୍ ନମ୍ବର ୦୧/୨୦୨୬ ରୁଜୁ କରାଯାଇ ତଦନ୍ତ ଜାରି ରଖିଥିଲେ ମିଳିଥିବା ସଦ୍ଯ ସୂଚନା ଅନୁସାରେ, ଶ୍ରୀ ଦାସଙ୍କ ୪ଟି ସ୍ଥାନରେ ତଲାସୀ ସମୟରେ ୩.୩୧ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଏଥିସହିତ ଭିଏତନାମ ଏବଂ ନେପାଳର ବୈଦେଶିକ ମୁଦ୍ରା ମଧ୍ୟ ଜବତ କରାଯାଇଛି। ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ଦାସଙ୍କର ୪ଟି ସ୍ଥାନରେ ତଲାସି ଆରମ୍ଭ କରିଥିଲେ। ତଲାସି ସମୟରେ, ଶ୍ରୀ ଦାସଙ୍କ ଭୁବନେଶ୍ୱର ଏବଂ ବଡ଼ଗାଁ ସରକାରୀ କ୍ୱାର୍ଟର୍ସରୁ ନଗଦ ୩ ଲକ୍ଷ ୩୧ ହଜାର ୩୧୬ ଟଙ୍କା ଜବତ କରାଯାଇଥିଲା। ଏହା ବ୍ୟତୀତ, ସେ ଗତ ବର୍ଷ ମେ ମାସରେ ଭିଏତନାମ ଗସ୍ତ କରିଥିବା ଜଣାପଡିଥିଲା। ତାଙ୍କ ପାଖରେ ଭିଏତନାମ୍ ଏବଂ ନେପାଳର କିଛି ବୈଦେଶିକ ମୁଦ୍ରା ଥିବା ଜଣାପଡିବା ପରେ, ଭିଜିଲାନ୍ସ ସେ ସମସ୍ତ ବୈଦେଶିକ ମୁଦ୍ରାକୁ ମଧ୍ଯ ଜବତ କରାଯାଇଛି। ମାମଲାର ତଦନ୍ତ ଜାରି ରହିବା ସହିତ ଏଏସ୍ଆଇ ଅରୂପାନନ୍ଦ ଦାସଙ୍କ ବିରୁଦ୍ଧରେ ଧାରା ୭ ପିସି (ସଂଶୋଧିତ) ଆଇନ୍ ୨୦୧୮ରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୦୧/୨୦୨୬ ରୁଜୁ କରାଯାଇ ଶ୍ରୀ ଦାସଙ୍କୁ ଗିରଫ କରାଯିବା ସହିତ ଅଧିକ ତଦନ୍ତ ଜାରି ରହିଛି ।

