ଉମରକୋଟ,ନରସିଂବାଘ. (ଉତ୍କଳ ସମାଚାର).ତା14//3.ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ ବେହେଡା ପଞ୍ଚାୟତର ଡାଇବେଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଓ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କାମରେ ଲଗାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି।ସରକାର ପକ୍ଷରୁ ମୌଳିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ପିଲାମାନଙ୍କୁ ସ୍କୁଲମୁଖୀ କରିବା ପାଇଁ ବିଭିନ୍ନ ଯୋଜନା ଓ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ତଥାପି କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।ଡାଇବେଡା ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଓ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ବାଲ୍ଟିରେ ପାଣି ବୋହି ବିଦ୍ୟାଳୟ ବାରଣ୍ଡା ସଫା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ପଢିବା ପାଇଁ ସ୍କୁଲକୁ ଆସୁଥିବା କୁନି କୁନି ପିଲାମାନଙ୍କୁ ଏଭଳି କାମରେ ଲଗାଯାଉଥିବା ଘଟଣା ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।ଏହି ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଚାରାଯିବାରୁ “ଛାତ୍ରଛାତ୍ରୀମାନେ କାମ ନକଲେ କିଏ କରିବ” ବୋଲି ସେ ପ୍ରତିକ୍ରିୟା ଦେଇଥିବା କୁହାଯାଉଛି।କୁନି ପିଲାମାନଙ୍କୁ ଏପରି କଷ୍ଟସାଧ୍ୟ କାର୍ଯ୍ୟରେ ନିୟୋଜିତ କରିବା କେତେଦୂର ଯୁକ୍ତିସଙ୍ଗତ ବୋଲି ପ୍ରଶ୍ନ ଉଠିଛି। ଏନେଇ ଶିକ୍ଷା ବିଭାଗ ଓ ଶିଶୁ ଶ୍ରମ ନିରୋଧକ ବିଭାଗ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ମହଳରେ ଦାବି ହେଉଛି।

