ସମ୍ବଲପୁର,17//3,(ଉତ୍କଳ ସମାଚାର),(ସରୋଜ ସାହୁ):ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ମୌଳିକ ସମସ୍ୟାର ସମାଧାନ ଦାବୀରେ ସୋମବାର ସମ୍ବଲପୁରରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗଦେଇ ନିଜ ଅଧିକାର ସପକ୍ଷରେ ଶକ୍ତିଶାଳୀ ସ୍ୱର ଉତ୍ତୋଳନ କରିଥିଲେ। ସ୍ଥାନୀୟ ନାରୀ ସେବା ସଦନରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଆର୍ଡିସି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କର୍ମୀମାନେ ସ୍ଲୋଗାନ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ୟାପକ ଖରା ସତ୍ତ୍ୱେ ମଧ୍ୟ ହଜାର ହଜାର କର୍ମୀ ରାଲିରେ ଯୋଗଦେଇ ଆନ୍ଦୋଳନକୁ ଶକ୍ତିଶାଳୀ କରିଥିଲେ। କର୍ମୀମାନଙ୍କ ମୁଖ୍ୟ ଦାବୀମାନଙ୍କ ମଧ୍ୟରେ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ସମାନ କାମକୁ ସମାନ ଦରମା, ଶ୍ରମିକ ମାନ୍ୟତା, ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ୨୬ ହଜାର ଟଙ୍କା ଦରମା, ଶ୍ରମ କୋଡ୍ ଆଇନ୍ ଅନୁଯାୟୀ ସାମାଜିକ ସୁରକ୍ଷା, ୧୦୦ ଶତକଡା ପଦୋନ୍ନତି, ଉନ୍ନତ ମାନର ମୋବାଇଲ୍ ଫୋନ୍ ପ୍ରଦାନ, ଏସ୍ଏନ୍ପି ଦର ସଂଶୋଧନ, ଅଣ୍ଡା ମୂଲ୍ୟକୁ ବଜାର ଦର ଅନୁଯାୟୀ ପ୍ରଦାନ, ସର୍ବନିମ୍ନ ପେନସନ୍ ୧୦ ହଜାର ଟଙ୍କା, ଅବସର ବେନିଫିଟ୍ ୧୦ ଲକ୍ଷ ଟଙ୍କା, ବର୍ଷକୁ ୪୦ ଦିନ ଛୁଟି, ଦରମା ପ୍ରଦାନରେ ଅନିୟମିତତା ବନ୍ଦ, ବନ୍ଦ ହୋଇଥିବା ଇନକ୍ରିମେଣ୍ଟ ପୁନର୍ବାହାଳ, ବିଭିନ୍ନ ମିଟିଂ ଓ କାମ ପାଇଁ ଗସ୍ତ ଓ ଖାଦ୍ୟ ଖର୍ଚ୍ଚ ପ୍ରଦାନ, ସମସ୍ତ କର୍ମୀ ଓ ସହାୟିକାଙ୍କୁ ଇ-ଶ୍ରମ କାର୍ଡ ଓ ଆୟୁଷ୍ମାନ୍ ଯୋଜନାରେ ସାମିଲ କରିବା ସମ୍ମିଳିତ ରହିଥିଲା। କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ ପାଢୀ, ସଭାନେତ୍ରୀ ମୀରା ଦଳ ବେହେରା, ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ, ରୁକ୍ମିଣୀ ଜୁଆଡି, ହେମାଦ୍ରି ପ୍ରଧାନ, ଶୈରିନ୍ଦ୍ରୀ ମହାନନ୍ଦ, ସରସ୍ୱତୀ ପଞ୍ଚବିହାର ପ୍ରମୁଖ ନେତୃତ୍ୱ ଦେଇଥିଲେ। ସେମାନେ କହିଥିଲେ ଯେ ଅଙ୍ଗନବାଡି କର୍ମୀଙ୍କୁ ବଞ୍ଚିବାଯୋଗ୍ୟ ବେତନ ଓ ସମସ୍ତ ମୌଳିକ ସୁବିଧା ଦେବା ପାଇଁ ସରକାର ଶୀଘ୍ର ପଦକ୍ଷେପ ନେବା ଦରକାର। ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସତର୍କ କରିଥିଲେ।ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶା ସ୍ତରୀୟ କେନ୍ଦ୍ରୀୟ ଯୁଗ୍ମ ଆବାହକ ବାଳକୃଷ୍ଣ ଭୋଇ, ପ୍ରମିଳା ସିଂହ, ସାଧବୀ ବିଶ୍ୱାଳ, ଅନୁସୂୟା ଶତପଥି, ଫଣୀ ରାଉଳ, ମିନି ପଣ୍ଡା, ମଞ୍ଜୁଲତା ମାଝୀ, ନୀନା ବିଞ୍ଝାଲ, ଶାନ୍ତିଲତା କୁମୁରା, କନକ ପ୍ରଧାନ, ରୁବୀ ଶତପଥି, ରତ୍ନମଣି ସାହୁ, ଗୋଲାପୀ ପଟେଲ, ଅହଲ୍ୟା ନାୟକ ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ। ଏହି ଅବସରରେ ଆର୍ଡିସି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଞ୍ଚଳ ପୋଲିସ ଛାଉଣୀରେ ପରିଣତ ହୋଇଥିବା ଦେଖାଯାଇଥିଲା।

