ରାଉରକେଲା ୨୧/୩,(ଉତ୍କଳ ସମାଚାର) ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର, ଏହା ରାଉରକେଲା ଜନସାଧାରଣଙ୍କ ପାଇଁ ଖୁସିର ଖବର ଆଣିଦେଇଛି। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ୧୦ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ପାନପୋଷ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଭାରତ ସରକାରଙ୍କ ପକ୍ଷରୁ ମିଳିଛି ଏହି ସମ୍ମାନଜନକ କାୟାକଳ୍ପ ପୁରସ୍କାର। ତନ୍ମଧ୍ୟରୁ ତିଲକାନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି, ଯାହା ନିହାତି ଭାବେ ରାଉରକେଲା ପାଇଁ ଗୌରବର ବିଷୟ। ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ସହ ସଂକ୍ରମଣ ନିୟନ୍ତ୍ରଣ କରି ଗୁଣାତ୍ମକ ରୋଗୀ ସେବାକୁ ସୁନିଶ୍ଚିତ କରିବା ହେତୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ଵାସ୍ଥ୍ୟକେନ୍ଦ୍ର ପରିଚାଳନା ସହ ଡାକ୍ତରଖାନା ପରିସରରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସହାୟକ ଡାକ୍ତରୀ ସେବା ଏବଂ ସୂଚନା ଓ ସଚେତନତା ଅଭିଯାନ ମାଧ୍ୟମରେ ରୋଗୀ ତଥା କର୍ମଚାରୀମାନଙ୍କୁ ସ୍ଵଚ୍ଛତା ବଜାୟ ରଖିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ୬ଟି ମାନଦଣ୍ଡକୁ ଆଧାର କରି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏଥିପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ପାରାମେଡ଼ିକାଲ ଷ୍ଟାଫ୍ ଓ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ତୃଣମୂଳ ସ୍ତରରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରିବା ତଥା ଟୀକାକରଣକୁ ଆହୁରି ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ, ବିକଶିତ ଭାରତ ଗଠନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରର ସୁଦୃଢୀକରଣ ଉପରେ ସରକାର ଗୁରୁତ୍ଵ ଦେଉଥିବା ବେଳେ ଅନୁରୂପ ଭାବେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଗୁରୁତ୍ଵ ଦିଆଯାଉଛି।

