ସୁନ୍ଦରଗଡ଼,13//4,(ଉତ୍କଳ ସମାଚାର)ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ଜିଲ୍ଲା ତଥା ଓଡ଼ିଶା ର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର ଏବଂ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଆଲୋଚକ ଅଧ୍ୟାପିକା ଶ୍ରୀମତୀ ପ୍ରଣତୀ ବେହେରା, ବରିଷ୍ଠ ସାହିତ୍ୟିକ ଶ୍ରୀ ଗୋପ କୃଷ୍ଣ ନାୟକ, ଅଧ୍ୟାପିକା ଶ୍ରୀମତୀ ସୁସ୍ମିତା ଭୋଇ, ଗାଳ୍ପିକ ଶ୍ରୀ ଶିବାଶିଷ ପାଢ଼ୀ, ଶିକ୍ଷକ ଶ୍ରୀ ଗଣେଶ ତ୍ରିପାଠୀ ଯୋଗ ଦେଇ ବରପୁତ୍ର ମାନଙ୍କ ଜୀବନ, ଦର୍ଶନ, ଅବଦାନ ଏବଂ ଉପଲବ୍ଧି ଉପରେ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଧ୍ୟାପିକା ଶ୍ରୀମତୀ ବେହେରା ଜିଲ୍ଲା ର ବିଶିଷ୍ଟ କବି ବିନୋଦ ଚନ୍ଦ୍ର ନାଏକଙ୍କ ଜୀବନୀ ଏବଂ ତାଙ୍କ ଲେଖନୀ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ସମସ୍ତେ ସେହି ବରପୁତ୍ରଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ବିକାଶ ଦିଗରେ ଆଗଭର ହେବାକୁ ଉତ୍ସାହିତ କରିଥିଲେ। ସେହିଭଳି ଶିକ୍ଷାବିତ୍ ତଥା ସାହିତ୍ୟିକ ଶ୍ରୀ ଗଣେଶ ତ୍ରିପାଠୀ ସୁନ୍ଦରଗଡ଼ କବି କ୍ଷେତ୍ରବର ନାଏକ ଙ୍କ ଉପରେ ଆଲୋଚନା କରି ତାଙ୍କ ଲେଖନୀ ଉପରେ ଆଲୋକପାତ କରିଥିଲେ। ସେହିଭଳି ଶିକ୍ଷାବିତ ତଥା ଗାଳ୍ପିକ ଶ୍ରୀ ଶିବାଶିଷ ପାଢ଼ୀ ଗବେଷକ ଶିଶିର କୁମାର ନାଏକ ଙ୍କ ଉପରେ ଆଲୋଚନା କରିଥିଲେ । ସେହିଭଳି ଲେଖିକା ତଥା ଅଧ୍ୟାପିକା ଶ୍ରୀମତୀ ଭୋଇ ଐତିହାସିକ ମୁକ୍ତେଶ୍ଵର ପଟେଲଙ୍କ ଉପରେ ଏବଂ ସାହିତ୍ୟିକ ଶ୍ରୀ ଗୋପକୃଷ୍ଣ ନାୟକ ନାଟ୍ୟକାର ଚୁଡ଼ାମଣି ନାଏକଙ୍କ ଉପରେ ଆଲୋଚନା କରିଥିଲେ। “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋଚକମାନେ ସମସ୍ତ ବରପୁତ୍ର ମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଏବଂ ବରପୁତ୍ର ମାନଙ୍କର ନିଜ ମା,ମାଟି ପ୍ରତି ଥିବା ବଳିଷ୍ଠ ଅବଦାନ ଉପରେ ଆଲୋକପାତ କରିଥିଲେ। ସେହି ବରପୁତ୍ର ମାନଙ୍କ ପ୍ରତି ଆମେ ସର୍ବଦା ଗର୍ବିତ ଏବଂ ଆଜିର ଯୁବପିଢ଼ି ମଧ୍ୟ ସେହି ବରପୁତ୍ର ମାନଙ୍କ ପ୍ରେରଣାଦାୟକ ପଥ ଅନୁସରଣ କରି ନିଜ ମାଟିକୁ ସଦା ଗର୍ବିତ କରିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ କବି ଅଶୋକ ରାଉତଙ୍କ ସଂଯୋଜନାରେ ଜିଲ୍ଲାର ଲେଖକ, ଲେଖିକା, କବି , କବୟତ୍ରି ମାନଙ୍କ ଦ୍ଵାରା କବିତା ପାଠ କରାଯାଇଥିଲା। ଏହି କବିତା ପାଠୋତ୍ସବରେ ଜିଲ୍ଲାର ବହୁ ସଂଖ୍ୟାରେ କବିମାନେ ଅଂଶ ଗ୍ରହଣ କରି ସ୍ୱରଚିତ ତଥା ବିଶିଷ୍ଟ କବିମାନଙ୍କ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ଯୁବ ଲେଖକ ଶ୍ରୀ ବିବିଧ ବିଶ୍ୱ ସଂଯୋଜନା କରିଥିଲେ। ଏଥିରେ ସମାଜସେବୀ ଶୁଭଶ୍ରୀ ରାୟ, ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ, ବରିଷ୍ଠ ନାଗରିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

