ସମ୍ବଲପୁର,୧୩/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ପବିତ୍ର ହନୁମାନ ଜୟନ୍ତୀ ଅବସରରେ ତ୍ରିମୁର୍ତ୍ତି ପ୍ରଡ଼କ୍ସନ ପକ୍ଷରୁ ଶ୍ରୀରାମ ଙ୍କର ଉପରେ ଆଧାରିତ ଭକ୍ତି ଗୀତ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶୁଭ ଉଦଘାଟିତ ହୋଇଯାଇଛି lବିଶିଷ୍ଟ କଣ୍ଠ ଶିଳ୍ପୀ ତ୍ରିଲୋଚନ ତ୍ରିପାଠୀ ଙ୍କ ସହ ପୂଜା ମୁଣ୍ଡା ଏହି ଗୀତ ରେ କଣ୍ଠ ଦାନ କରିଛନ୍ତି l ଗୀତିକାର ସନତ ମିଶ୍ର ଏହି ଭକ୍ତି ଗୀତ ” ଭଜୁଥିବୁରେ ଜପୁଥିବୁରେ ମନେ ମନେ ଗୁଟେ ନାଆଁ…ରାମ ରାମ ….” l ଗୀତ ଟିକୁ ସଂଗୀତ ରେ ସଜେଇଛନ୍ତି ଏସ. ପି. ମ୍ୟୁଜିକ I ଆଜିର ଏହି ମ୍ୟୁଜିକ ଆଲବମ ର ଶୁଭ ଉନ୍ମୋଚନ ଉତ୍ସବରେ ଅତିଥି ଭାବରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ ମିତ୍ର, ମୋତିଲାଲ ଦୋରା, ପ୍ରମୋଦ ମିଶ୍ର, ପ୍ରୟାଗ ରାଜ ବେହେରା, କଣ୍ଠ ଶିଳ୍ପୀ ପୂଜା ମୁଣ୍ଡା ଓ ତ୍ରିଲୋଚନ ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ I ଏହିଅବସରରେ ଶ୍ରୀ ମିତ୍ର କହିଲେ ଯେ, ଆଜିର ଦିନରେ ଯେତେ ମାତ୍ରାରେ କଣ୍ଠ ଶିଳ୍ପୀ ମାନେ ସୃଷ୍ଟି ହେବା କଥା ତାହା ହୋଇପାରୁନାହିଁ I ବିଗତ ଦିନରେ ଆକାଶବାଣୀ ଏହା ଏକ ମୁଖ୍ୟ ଆଧାର ଥିଲା, ଯେଉଁଠୁ କଳାକାର ସୃଷ୍ଟି ହୋଇ ସମାଜରେ ପ୍ରତିଷ୍ଠିତ ହେଉଥିଲେ I କିନ୍ତୁ, ଯେଉଁପରି ଭାବରେ କଳାକାର ଙ୍କ ପାଇଁ ଅଡିସନ ହେବା କଥା ତାହା ହେଉନାହିଁ I ଯଦ୍ୱାରା ଏହି ଭଳି ସମସ୍ୟା ସୃଷ୍ଟି ହେଉଛି I ଅନ୍ୟତମ ଅତିଥି ଶ୍ରୀ ଦୋରା କହିଲେ ଯେ, ନିୟମିତ ଭାବରେ ଏମିତି ମ୍ୟୁଜିକ ଆଲବମ ଗୀତ ଗୁଡି଼କ ରିଲିଜ ହେବା କଥା, ଯଦ୍ୱାରା ଲୁକ୍କାୟିତ କଳାକାର ମାନେ ଲୋକ ଲୋଚନ କୁ ଆସିବା ସାଥିରେ ପ୍ରତିଷ୍ଠିତ ହୋଇ ପାରନ୍ତେ I ଏହି ସଂଗୀତମୟ ପରିବେଶରେ ଉନ୍ମୋଚିତ ଭକ୍ତି ଗୀତ ” ଭଜୁଥିବୁରେ ଜପୁଥିବୁରେ ମନେ ମନେ ଗୁଟେ ନାଆଁ… ” ର ଅଡିଓ ଓ ଭିଡିଓ କୁ ପ୍ରଦର୍ଶିତ କରାଯାଇଥିଲା I ଏହି ଗୀତଟିର ଭିଡିଓ ପ୍ରସ୍ତୁତିରେ ମାନସ ମିଶ୍ର ଓ ବି. ଶଙ୍କର ମୁଖ୍ୟ ଭୂମିକା ନିର୍ବାହ କରିଥିବା ବେଳେ ଗୀତଟି ” ଚିତ୍ରିତା ଏ. ଭି. ସ୍ଲ୍ୟୁସନ “ରେ ରେକଡିଂ ହୋଇଥିବା ବେଳେ ରେକଡିଷ୍ଟ ହେଉଛନ୍ତି ସୌରଭ ଛତ୍ରପାଲ I ସୂଚନା ଯୋଗ୍ୟ ଯେ ଏହି ଗୀତଟି ଉଭୟ ମେଲ ଓ ଫିମେଲ ଭର୍ଶନ ରେ ପ୍ରଯୋଜିତ ହୋଇଛି l ଏହି ଗୀତରେ ଭିଡିଓ ଭର୍ଶନ କୁ ଖୁବ ଶୀଘ୍ର ୟୁଟ୍ୟୁବ ରେ ରିଲିଜ କରାଯିବ ବୋଲି କଣ୍ଠଶିଳ୍ପୀ ତ୍ରିଲୋଚନ ତ୍ରିପାଠୀ ସୂଚନା ଦେଇଛନ୍ତି I ଆଶା କରାଯାଉଛି ଏକ ପବିତ୍ର ଦିନରେ ରିଲିଜ ହୋଇଥିବା ଗୀତ “ଭଜୁଥିବୁରେ ଜପୁଥିବୁରେ…” ବହୁ ମାତ୍ରାରେ ଆଦୃତ ହେବ I

