ରାଉରକେଲା ୧୪/୪,(ଉତ୍କଳ ସମାଚାର) ଭାରତୀୟ ସମ୍ବିଧାନର ସ୍ଥପତି, ସାମାଜିକ ନ୍ୟାୟର ପ୍ରତୀକ ‘ଭାରତ ରତ୍ନ’ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀରେ ରାଉରକେଲା ପ୍ରଶାସନ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି। ସାମାଜିକ ନ୍ୟାୟ, ସମରସତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଆମ ଗଣତନ୍ତ୍ରକୁ ସୁଦୃଢ଼ କରିଛି। ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ରାଉରକେଲା ପ୍ରଶାସନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ରାଉରକେଲା ଉଦିତନଗର ସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ରାଉରକେଲା ଉଦିତନଗର ଆମ୍ବେଦକର ଛକ ସ୍ଥିତ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀର୍, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଜିଲ୍ଲା ବିଜେପି ସଭାପତି ଶ୍ରୀମତୀ ପୂର୍ଣ୍ଣିମା କେରକେଟା, ରାଉରକେଲା ଓକିଲ ସଂଘର ସଭାପତି ସଦାନନ୍ଦ ସାହୁ, ରାଉରକେଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କାଙ୍କ ସମେତ ବହୁ ବ୍ଯକ୍ତି ବିଶେଷ। ସେହିପରି ଜିଲ୍ଲା ବିଜେପି ତରଫରୁ ବିଜେପି ସଭାପତି ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ବରେ ବରିଷ୍ଠ ନେତା ଜଗବନ୍ଧୁ ବେହେରାଙ୍କ ସମେତ ବହୁ ବିଜେପି ସମର୍ଥକ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଂଗ୍ରେସ ପକ୍ଷରୁ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ସବୀର ହୁସେନଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଉଦିତନଗର ଆମ୍ବେଦକର ଛକରେ ଥିବା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାରତର କମ୍ଯୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ଉଦିତନଗର ଆମ୍ବେଦକର ଛକ ସ୍ଥିତ ଡକ୍ଟର ଭୀମ୍ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯ ଅର୍ପଣ କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ବିଜୁ ଜନତାଦଳ ପକ୍ଷରୁ ସେକ୍ଟର-୭ ଓ ୧୭ ଛକରେ ଥିବା ଡକ୍ଟର ଭୀମ୍ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ପ୍ରଶାନ୍ତ ସେଠିଙ୍କ ସମେତ ଅନ୍ୟାନ ବିଜେଡି କର୍ମୀ।

