ନବରଙ୍ଗପୁର ତା ୧୭.୪.୨୦୨୬:(ଉତ୍କଳ ସମାଚାର) ଗତ କାଲି ୧୬.୪.୨୦୨୬ ରିଖ ଦିନ ନବରଙ୍ଗପୁର ଜିଲ୍ଲାରେ ଜନଗଣନା–୨୦୨୭ର ପ୍ରାରମ୍ଭିକ ପର୍ଯ୍ୟାୟ ‘ଘର ତାଲିକାକରଣ ଓ ଘର ନମ୍ବରିଂ’ କାର୍ଯ୍ୟ ସୂଚାରୁ ଓ ସୁସଂଗଠିତ ଭାବରେ ଆରମ୍ଭ ହୋଇଛି। ଏହି ସମଗ୍ର କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ଡ଼. ମହେଶ୍ୱର ସ୍ୱାଇଁଙ୍କ ନେତୃତ୍ୱ ଓ ନିର୍ଦ୍ଦେଶରେ ପରିଚାଳିତ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟବଦ୍ଧ ଓ ନିଖୁଣ ଭାବରେ କାର୍ଯ୍ୟ ସମ୍ପାଦନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପ୍ରିଲ୍ ୧୬ ଠାରୁ ମେ ୧୫ ପର୍ଯ୍ୟନ୍ତ ପ୍ରତିଘଣ୍ଟା ଆଧାରରେ ନମ୍ବରିଂ କରାଯାଇଥିବା ଘର ସଂଖ୍ୟା ସମ୍ବନ୍ଧୀୟ ତଥ୍ୟ ଜନଗଣନା କାର୍ଯ୍ୟାଳୟ, ଭୁବନେଶ୍ୱରକୁ ପ୍ରେରଣ କରାଯାଉଛି। ଏହା ମାଧ୍ୟମରେ କାର୍ଯ୍ୟର ପ୍ରଗତିକୁ ନିୟମିତ ଭାବେ ମନିଟରିଂ କରାଯାଉଛି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରଯାଉଛି । ଘର ନମ୍ବରିଂ କାର୍ଯ୍ୟ ସମୟରେ ବରିଷ୍ଠ ନୋଡାଲ୍ ଅଧିକାରୀମାନେ କ୍ଷେତ୍ର ପ୍ରଦର୍ଶନ କରି ଜନଗଣନା କାର୍ଯ୍ୟର ନିରୀକ୍ଷଣ କରୁଛନ୍ତି I ଚାର୍ଜ ଅଫିସର ତହସିଲଦାର ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟର ଗୁଣାତ୍ମକତା ଓ ସଠିକତା ନିଶ୍ଚିତ କରୁଛନ୍ତି।ଜନଗଣନା–୨୦୨୭ ଦେଶର ସର୍ବପ୍ରମୁଖ ଓ ବ୍ୟାପକ ପ୍ରଶାସନିକ ଅଭିଯାନ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍ତରରେ ସମନ୍ୱୟ ରଖି ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ସମ୍ପାଦନ କରିବାକୁ ପ୍ରୟାସ ଜାରି ରହିଛି।ଗତକାଲି ସୁଦ୍ଧା ୨୨୭୨୯ ଗୋଟି ଘର ଗଣନା କରାଯାଇଅଛି।ଜିଲ୍ଲାରେ ଅଧିକାରୀ ଓ କର୍ମଚାରୀ ମିଶାଇ ମୋଟ ୨୩୬୯ ଜଣ ଜଣଗଣନା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି।

