ନବରଙ୍ଗପୁର, ନରସିଂବାଘ. (ଉତ୍କଳ ସମାଚାର).ତା. ୨୦/୦୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶ୍ରୀ ଜୟଦେବ ଜୟନ୍ତୀ ଓ ଅକ୍ଷୟ ତୃତୀୟା ମହାସମାରୋହ ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ମହାକବି ଜୟଦେବଙ୍କ ଅମର ସୃଷ୍ଟି ‘ଗୀତ ଗୋବିନ୍ଦ’ ର ମଧୁର ସ୍ୱର ମଧ୍ୟରେ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା।ସକାଳ ୧୦ଟା ସମୟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆରମ୍ଭ ହୋଇଥିବା ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ଏବଂ ବିଶିଷ୍ଟ କବି ତଥା ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ସ୍ବାଗତ ଭାଷଣ ପ୍ରଦାନ କରି ସଭାକୁ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡିସିସି ସଙ୍ଗୀତ ସ୍କୁଲର ଛାତ୍ରଛାତ୍ରୀମାନେ ସଙ୍ଗୀତ ଗୁରୁ ଯୁଗଳ କିଶୋର ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ଭକ୍ତିମୟ ଭଜନ ଗାନ କରି ପରିବେଶକୁ ଆନନ୍ଦମୟ କରିଥିଲେ।ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଶିଷ୍ଟ ବକ୍ତା ଓ ସାହିତ୍ୟ ସାଧକମାନେ ମହାକବି ଜୟଦେବଙ୍କ ଜୀବନୀ, ତାଙ୍କ ପତ୍ନୀ ପଦ୍ମାବତୀଙ୍କ ସମର୍ପଣ ଏବଂ ଜଗନ୍ନାଥ ସଂସ୍କୃତି ସହ ଗୀତ ଗୋବିନ୍ଦ ର ଗାଢ଼ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ତାଙ୍କ ରଚନାରେ ଭଗବାନଙ୍କ ଦ୍ୱାରା “ଦେହି ପଦପଲ୍ଲବମୁଦାରମ୍” ପଦ ଲେଖାଯାଇଥିବା ଅଲୌକିକ କାହାଣୀ ଶ୍ରୋତାମାନଙ୍କୁ ଅଭିଭୂତ କରିଥିଲା।ବକ୍ତାମାନେ କହିଥିଲେ ଯେ, ଶ୍ରୀମନ୍ଦିରରେ ମାହାରୀ ନୃତ୍ୟ ଓ ସେବା ସହ ଗୀତ ଗୋବିନ୍ଦ ର ପ୍ରଚଳନ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ଏକ ଗୌରବମୟ ପରିଚୟ। ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁଲି ଗ୍ରାମର ବିକାଶ, ଗ୍ରନ୍ଥାଗାର ଓ ସ୍ମୃତି ପୀଠ ନିର୍ମାଣକୁ ସେମାନେ ସ୍ୱାଗତ କରିଥିଲେ।ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଗବେଷକ, ସାମ୍ବାଦିକ ଓ କଳାକାର ଉପସ୍ଥିତ ରହିଥିବା ବେଳେ ଏହା ଶିକ୍ଷାର୍ଥୀମାନଙ୍କ ପାଇଁ ଓଡ଼ିଶାର ଗୌରବମୟ ଐତିହ୍ୟ ଓ ସାହିତ୍ୟ ସମ୍ପର୍କରେ ଜାଣିବାର ଏକ ସୁଯୋଗ ସୃଷ୍ଟି କରିଥିଲା।ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସଂସ୍କୃତି ସହକାରୀ ଆତ୍ମ ପ୍ରକାଶ ସାହୁ ଓ କର୍ମଚାରୀ ଏ. ସନ୍ତୋଷ କୁମାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
