ନବରଙ୍ଗପୁର, ନରସିଂବାଘ. (ଉତ୍କଳ ସମାଚାର).ତା. ୨୦/୦୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ଆଜି ଉତ୍ସାହ ଓ ଉଲ୍ଲାସର ସହିତ ପାଳିତ ହୋଇଛି। ପୂର୍ବାହ୍ନ ୯ଟା ସମୟରେ ଜାନକୀ ନଗର ସ୍ଥିତ ସିଆରପିଏଫ୍ ଛାଉଣୀ ରାସ୍ତା ପାର୍ଶ୍ୱ ଜମିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ଉପସ୍ଥିତ ଥିଲେ।ପୂଜାର୍ଚ୍ଚନା ପରେ ‘ଅକ୍ଷି ମୁଠି’ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମନ୍ତ୍ରୀ ଓ ବିଧାୟକ ଧାନ ବୁଣିବା ସହ ବଳଦ ଦ୍ୱାରା ଜମିରେ ହଳ ଚାଳି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହା ସହିତ କୃଷି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁଧିର ରଞ୍ଜନ ବେହେରା, ଜଳଛାୟା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଚିନ୍ତାମଣି ବେହେରା, ଉଦ୍ୟାନ ଉପନିର୍ଦ୍ଦେଶକ ସୁବ୍ରତ ମହାନ୍ତି, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବିଜ୍ଞାନୀ ଶଶାଙ୍କ ଲେଙ୍କା ସହ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଚାଷୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।ଏହା ସହିତ ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ସିଏମ୍ କିଷାନ୍’ ଯୋଜନାରେ ଚାଷୀମାନଙ୍କୁ ୨୦୦୦ ଟଙ୍କା ସହାୟତା ବଣ୍ଟନ କାର୍ଯ୍ୟକ୍ରମ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରୁ ସିଧା ପ୍ରସାରଣ କରାଯାଇଥିଲା।ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଚାଷୀମାନଙ୍କୁ କୃଷକ ଦିବସର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ରାଜ୍ୟ ସରକାର ଚାଷୀଙ୍କ ଉନ୍ନତିକୁ ରାଜ୍ୟର ଉନ୍ନତି ସହ ସମ୍ପୃକ୍ତ ଭାବେ ଦେଖୁଛନ୍ତି ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ସଦା ସହାୟତା ଯୋଗାଇ ଆସୁଛନ୍ତି।ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଚାଷୀମାନଙ୍କୁ କେବଳ ଧାନ ଓ ମକା ଉପରେ ନିର୍ଭର ନହୋଇ ବିବିଧ ଫସଲ ଚାଷ କରିବା ସହ ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ରୁ ଦୂରେଇବାକୁ ପରାମର୍ଶ ଦେଇଥିଲେ।ଏହି ଯୋଜନା ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲାର ୧,୩୦,୪୦୨ ଜଣ ଚାଷୀଙ୍କ ଖାତାକୁ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା କରି ସହାୟତା ରାଶି ଜମା କରାଯାଇଛି। ଏହି ଅବସରରେ ବିଭିନ୍ନ ବ୍ଲକରୁ ଆସିଥିବା ୧୦୦ରୁ ଅଧିକ ଚାଷୀ ଉପସ୍ଥିତ ରହି ସିଧା ପ୍ରସାରଣ ଦେଖିଥିଲେ
