ରାଉରକେଲା ୨୦/୪,(ଉତ୍କଳ ସମାଚାର)ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଇସ୍ପାତ ସହରର ସର୍ବପୁରାତନ ପ୍ରଚୀନ ଦେବପୀଠ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଶ୍ରୀ ବଳଭଦ୍ର,ଶ୍ରୀଜଗନ୍ନାଥ,ମା ସୁଭଦ୍ରା ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳ ୭ ଘଟିକା ସମୟରେ ରଥଖଳାରେ ରଥକାଠ ଅନୁକୂଳ କରାଯାଇଥିଲା। ପାରମ୍ପରିକ ପୂଜାର୍ଚ୍ଚନା ସହ ହୋମ ଆଦି କରି ରଥକାଠ ର ପୂଜା ସମାପନ ହୋଇଥିଲା। ଏହି ରଥକାଠ ଅନୁକୂଳ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ର ସଭାପତି ଗିରିଜା ଶଙ୍କର ଦ୍ବିବେଦୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ବେଳେ ଟ୍ରଷ୍ଟି ସୁଧିର ସୁନ୍ଦର ରାୟ ଓ ବିଜୟ ପତ୍ରୀ ଉପସ୍ଥିତ ଥିଲେ। ସେହିପରି ଶ୍ରୀ ହରିହର ଜଗନ୍ନାଥ ଦଇତାପତି ସେବାୟତ ନିଯୋଗ ର ସଭାପତି ପ୍ରକାଶ ଚନ୍ଦ୍ର ଦାସ ଓ ସାଧାରଣ ସମ୍ପାଦକ କିଶୋର କୁମାର ନାୟକ ଙ୍କ ସମେତ ଅନ୍ୟାନ୍ୟ ଦଇତାପତି ଓ ସେବାୟତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ। ପୁରୋହିତ ପରମେଶ୍ୱର ପତି ଓ ମାନସ ରଞ୍ଜନ ପଣ୍ଡା ପୂଜାର୍ଚ୍ଚନା କାର୍ଯ୍ୟ କରିଥିବା ବେଳେ ଜଗନ୍ନାଥ ମନ୍ଦିର ବଡ଼ପଣ୍ଡା ତ୍ରିନାଥ ପାଢ଼ୀ ଏଥିରେ ସହଯୋଗ କରିଥିଲେ।ରଥ କାଠ ଅନୁକୂଳ ହେବା ପରେ ମହାରଣା ଆନୁଷ୍ଠାନିକ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ସଂଧ୍ୟା ସମୟରେ ଆଜି ଅହିରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଚନ୍ଦନ ପୁଷ୍କରିଣୀ ରେ ମହାପ୍ରଭୁ ଙ୍କ ଚାପଖେଳ ବା ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏହି ଚନ୍ଦନଯାତ୍ରା ଆସନ୍ତା ମେ ମାସ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସଂଧ୍ୟା ୭ ଘଟିକା ରେ ଅନୁଷ୍ଠିତ ହେବ। ଶ୍ରୀ ବିଗ୍ରହ ଙ୍କୁ ପାଲିଙ୍କି ରେ ଆଣି ଡଙ୍ଗା ରେ ବସାଇ ପୁଷ୍କରିଣୀ ରେ ବିହାର କରିବା ର ବିଧି ରହିଛି। ଆଜି ଏହି ଚନ୍ଦନଯାତ୍ରା କାର୍ଯ୍ୟକ୍ରମ ରେ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ଯୋଗ ଦେବା ର କାର୍ଯ୍ୟକ୍ରମ ରହିଛି।

