ରାଉରକେଲା:24//4,(ଉତ୍କଳ ସମାଚାର) ସାରା ଦେଶରେ ଚାଲିଥିବା ପୋଷଣ ପକ୍ଷ ପାଳନର ଶେଷ ଦିନ ଅବସରରେ ଗୁରୁବାର ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଯୁବ ରେଡ୍କ୍ରସ୍, ଓ ଜାତୀୟ ସେବା ଯୋଜନା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସସ୍ମିତା ସାମଲ ଅଧ୍ୟକ୍ଷତା କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ଶୁଭଜ୍ୟୋତି ମହାପାତ୍ର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ। ଡ.ସାମଲ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାର କାର୍ଯ୍ୟକାରୀତା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ବକ୍ତାଭାବରେ ଶିକ୍ଷା ବିଭାଗର ମୁଖ୍ୟ ଲଳିତା ମୁକ୍ତା ବାର୍ଲା ଯୋଗଦେଇ ପୋଷଣ ଯୋଜନାର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ସନ୍ଦର୍ଭ ପାଠ କରିଥିଲେ। ଅନ୍ୟତମ ବକ୍ତାଭାବେ ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ଲିପିକା ଖମାରୀ ଶିଶୁ ଏବଂ ମା’ମାନଙ୍କର ପୋଷଣ ସମ୍ପର୍କରେ ବିଭିନ୍ନ ଉପାଦେୟ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜାତୀୟ ସେବା ଯୋଜନାର ଅନ୍ୟତମ କାର୍ଯ୍ୟକାରୀ ଅଧିକାରୀ ଡ. ସୋନିଆ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଯୁବ ରେଡ୍କ୍ରସ୍ ସଂଯୋଜିକା ଡ.ସ୍ମୃତି ସ୍ନିଗ୍ଧା ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

