ରାଉରକେଲା, ୨୮/୧୦,(ଉତ୍କଳ ସମାଚାର) ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ଗୁଜରାଟର କେଭାଡିଆସ୍ଥିତ ଏକତା ନଗରଠାରେ ଆୟୋଜିତ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ସମାରୋହରେ ଯୋଗଦେବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରୁ ୪୪ ଜଣିଆ ଏକ ପ୍ରତିନିଧି ଦଳ ଗୁଜରାଟ ଅଭିମୁଖେ ଯାତ୍ରା କରିଛନ୍ତି। ସ୍ଥାନୀୟ ରାଉରକେଲା ରିଜର୍ଭ ପୋଲିସ୍ କାର୍ଯ୍ଯାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦୀନାଃ ଦସ୍ତଗୀର ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ପତାକା ଦେଖାଇ ପ୍ରତିନିଧି ଦଳର ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରାଉରକେଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମାକାନ୍ତ ସାହୁ ଏବଂ ଶ୍ରାବଣୀ ନାୟକ ଉପସ୍ଥିତ ଥିଲେ।ପ୍ରତିନିଧି ଦଳ ଟିଟିଲାଗଡ଼ ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ଏକ ସ୍ୱତନ୍ତ୍ର ଟ୍ରେନରେ ଗୁଜରାଟ ଯାତ୍ରା କରି ଅକ୍ଟୋବର ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ସମାରୋହରେ ଅଂଶଗ୍ରହଣ କରିବେ। ଏହି ୪୪ ଜଣିଆ ପ୍ରତିନିଧି ଦଳ ସହ ନୋଡାଲ ଅଧିକାରୀ ଭାବେ ଜିଲ୍ଲା ନିୟୋଜନ ଅଧିକାରୀ ଶୁଭେନ୍ଦୁ ମିଶ୍ର ମଧ୍ଯ ଯାତ୍ରା କରିଛନ୍ତି।

