ରାଉରକେଲା ୨୮/୧୦,(ଉତ୍କଳ ସମାଚାର) ନିର୍ବାଚନରେ ଭୋଟ ଚୋରି ବନ୍ଦ କରିବା, ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା କରିବା ଏବଂ ଭୋଟର ତାଲିକାରେ ସଂଶୋଧନ ଆଣିବାକୁ ନେଇ କଂଗ୍ରେସ ପକ୍ଷରୁ ଭୋଟ ବଞ୍ଚାଅ – ଦେଶ ବଞ୍ଚାଅ ଆହ୍ୱାନରେ ଗତକାଲି ଜିଲ୍ଲା କଂଗ୍ରେସ ପକ୍ଷରୁ ସେକ୍ଟର-୨୧ ସ୍ଥିତ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ପ୍ରଭାରୀ ସଚିନ୍ ୟାଦବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନ, ପୂର୍ବତନ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ପାଢ଼ୀ, ପୂର୍ବତନ ଜିଲ୍ଲା ସଭାପତି ରବି ରାୟ, ଇଜାଜ୍ ଅଖତର, ମହିଳା ସଭାନେତ୍ରୀ ରଞ୍ଜିତା ମଲ୍ଲିକ, ପୂର୍ବତନ ମହିଳା ସଭାନେତ୍ରୀ ଝରଣା ତ୍ରିପାଠୀ, ଜିଲ୍ଲା ଉପସଭାପତି ଖାଦେଳ ସେଠୀଙ୍କ ସମେତ ଜିଲ୍ଲା କଂଗ୍ରେସର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ରାଜ୍ୟ କଂଗ୍ରେସ ପ୍ରଭାରୀ ସଚିନ୍ ୟାଦବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସମଗ୍ର ଦେଶରେ ସ୍ଵତନ୍ତ୍ର ସଘନ ସଂଶୋଧନ(SIR) ପ୍ରକ୍ରିୟା ବାହାନା ସହ ନିର୍ବାଚନ ପ୍ରକ୍ରିୟାକୁ ନେଇ ଭୋଟର ତାଲିକାରେ ଯେପରି ଘାପଲାମୀ ହୋଇଛି, ତା ବିରୋଧରେ କଂଗ୍ରେସ ସାଂସଦ ତଥା ବିରୋଧିଦଳ ନେତା ରାହୁଲ ଗାନ୍ଧୀ ବହୁଦିନ ଧରି ପ୍ରତିବାଦ କରିଆସୁଥିବା ସହିତ ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ସମସ୍ତ ବିରୋଧୀ ଦଳର ନେତାମାନେ ଚଳିତ ୨୦୨୬ ଅକ୍ଟୋବର ୨ ତାରିଖରୁ “ଭୋଟ ବଚାଓ – ଦେଶ ବଚାଓ” ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ୨୦୨୬ ନଭେମ୍ବର ୧ ତାରିଖ ଦିନ ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ଏକ ମହାରାଲ୍ଲି ଆୟୋଜନ କରାଯାଇଛି। ଏଥିସହିତ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଜନଜାଗରଣ କରାଯିବା ପାଇଁ ବୈଠକ ଆୟୋଜନ କରାଯିବା ସହ ପ୍ରତ୍ୟେକ ବୁଥରେ ବୁଥ୍ ରକ୍ଷକ (ବୁଥ୍ ଏଜେଣ୍ଟ)ଙ୍କ ଦ୍ଵାରା ଭୋଟର ତାଲିକାରେ ଥିବା ଭୁଲକୁ ଉପସ୍ଥାପନ କରାଯିବ। କଂଗ୍ରେସ ପକ୍ଷରୁ ମୁଖ୍ୟ ଦାବି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ୍ କୁମାରଙ୍କ ଇସ୍ତଫା, ଭୋଟର ତାଲିକାରେ କଟିଥିବା ୧୩ କୋଟିରୁ ଊର୍ଦ୍ଧ୍ବ ଭୋଟରଙ୍କ ପୁନଃ ସ୍ଥାପନ ଏବଂ ଏସବୁର ମୁଖ୍ୟ କର୍ଣ୍ଣଧାର ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରାଯାଇଛି ବୋଲି କହିଥିଲେ କଂଗ୍ରେସ ରାଜ୍ୟ ପ୍ରଭାରୀ ସଚିନ୍ ୟାଦବ।

