ନବରଙ୍ଗପୁର,28//10,(ଉତ୍କଳ ସମାଚାର): ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ସଚ୍ଚୋଟତା, ନୈତିକତା ଓ ଉତ୍ତରଦାୟିତ୍ୱବୋଧକୁ ସୁଦୃଢ଼ କରିବା ସହ ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ ଆରମ୍ଭ ହୋଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ୍ ହଲ୍ଠାରେ ଜିଲ୍ଲାସ୍ତରୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ସାଧୁତାର ଶପଥ ପାଠ କରାଇଥିଲେ। ନବରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମନ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲା ର ସମସ୍ତ ବ୍ଲକ କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ। ଏଥିରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।ଶପଥ ଗ୍ରହଣ ଅବସରରେ ସମସ୍ତେ ସରକାରୀ କାର୍ଯ୍ୟରେ ସଚ୍ଚୋଟତା ଓ ନିଷ୍ଠା ବଜାୟ ରଖିବା, ନିଜ କର୍ତ୍ତବ୍ୟ ସମ୍ପାଦନରେ ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବା ଏବଂ ଦୁର୍ନୀତିରୁ ଦୂରେଇ ରହିବା ପାଇଁ ସଂକଳ୍ପ ନେଇଥିଲେ। ଏଥିସହ ଦୁର୍ନୀତି ବିରୋଧରେ ଜନସଚେତନତା ବୃଦ୍ଧି କରିବା ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବା ଦିଗରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।ଏହା ସହିତ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଅଧିକାରୀ ଓ କର୍ମଚାରୀମାନେ ସାଧୁତାର ଶପଥ ଗ୍ରହଣ କରିଥିଲେ। ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ, ସରକାରୀ ସେବା ପ୍ରଦାନରେ ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଏହି ସଚେତନତା ସପ୍ତାହର ମୁଖ୍ୟ ଉଦ୍ଦେଶ୍ୟ।ସାତ ଦିନବ୍ୟାପୀ ପାଳିତ ହେବାକୁ ଥିବା ଏହି ସଚେତନତା ସପ୍ତାହ ଅବସରରେ ଦୁର୍ନୀତିର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ସମାଜରେ ସଚ୍ଚୋଟତା ଓ ନୈତିକ ମୂଲ୍ୟବୋଧର ପ୍ରସାର ପାଇଁ ଜିଲ୍ଲାବ୍ୟାପୀ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ।ଏହି କ୍ରମରେ ସଚେତନତା ଶୋଭାଯାତ୍ରା, ବିଦ୍ୟାଳୟ, ମହାବିଦ୍ୟାଳୟସ୍ତରରେ ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା, ବିଭିନ୍ନ ଗ୍ରାମ ପଞ୍ଚାୟତରେ ଦୁର୍ନୀତି ନିବାରଣ ସଚେତନତା ଗ୍ରାମସଭା ଏବଂ ପଥପ୍ରାନ୍ତ ନାଟକ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ଦୁର୍ନୀତିର ନିରାକରଣ ଓ ଏହା ବିରୋଧରେ ଜନସାଧାରଣଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।

