କେନ୍ଦୁଝର, :24//4,(ଉତ୍କଳ ସମାଚାର) ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ରାଜ୍ୟ ସିଏମ ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣର ଗତକାଲି ଯବନିକା ପଡିଛି l ୧୪ ବର୍ଷରୁ କମ ବାଳକ ବିଭାଗରେ ଏକ ତୀବ୍ର ପ୍ରତିଦ୍ବନ୍ଦିତା ତଥା ସଂଘର୍ଷପୂର୍ଣ୍ଣ ଫାଇନାଲ ଖେଳରେ ଲିଗ ପର୍ଯ୍ୟାୟରେ ଅପରାଜିତ ଥିବା ଟାଟା ଷ୍ଟିଲ ଫାଉଣ୍ଡେସନ, ଯୋଡ଼ା ବିପକ୍ଷରେ ଟାଟା ଷ୍ଟିଲ ଫାଉଣ୍ଡେସନ, ମୁର୍ଗା ୧-୦ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ହେବାର ଗୌରବ ଅର୍ଜନ କରିଛି l ଗତକାଲିର ଫାଇନାଲ ଖେଳ ଆରମ୍ଭରୁ ଶେଷ ହୁଇସିଲ ବାଜିବା ପର୍ଯ୍ୟନ୍ତ ବେଶ ଉପଭୋଗ୍ୟ ହୋଇଥିଲା l ପ୍ରଥମlର୍ଦ୍ଧ ଖେଳର ୨୪ତମ ମିନିଟରେ ଟିଏସଏଫ, ମୁର୍ଗାର ୧୫ ନମ୍ବର ଖେଳାଳି ରାଜ ବେଣ୍ଟକାର ଲିଙ୍କମ୍ୟାନଙ୍କ ଠାରୁ ଏକ ମାଇନସ ପାସ ପାଇ ଏହାକୁ ଶେଷ ସ୍ପର୍ଶ ଦେବାରେ କୋଣସି ତ୍ରୁଟି କରିନଥିଲେ l ପ୍ରଥମlର୍ଦ୍ଧ ଖେଳରେ ୧-୦ ଗୋଲରେ ପଛୁଆ ରହିବା ପରେ ଦ୍ୱିତୀୟlର୍ଦ୍ଧରେ ଟିଏସଏଫ, ଯୋଡ଼ା ସୁସଂଘଠିତ ହୋଇ ପ୍ରତିପକ୍ଷ ରକ୍ଷଣଭାଗକୁ ବ୍ୟତିବ୍ୟସ୍ତ କରିଦେଇଥିଲେ ମଧ୍ୟ ଗୋଲ ଦେବାରେ ସଫଳ ହୋଇ ପାରିନଥିଲେ l ଏବଂ ଟିଏସଏଫ, ମୁର୍ଗା ୧-୦ ଗୋଲରେ ବିଜୟ ଲାଭ କରି ଚମ୍ପିୟାନ ଟ୍ରଫି ହାତେଇ ନେଇଥିଲେ l ସ୍ୱତନ୍ତ୍ର ଉତ୍ସବରେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଉପସଭାପତି ସୁରେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ପଟ୍ଟନାୟକ ସମବେତ ଖେଳାଳି ମାନଙ୍କୁ ଉଦବୋଧନ ଦେଇ ରାଜ୍ୟର ଗ୍ରାମୀଣ ଓ ସହର ଅଞ୍ଚଳର ଯୁବ ଖେଳାଳୀ ମାନଙ୍କୁ ଖେଳକୁଦ ମାଧ୍ୟମରେ ଆଗକୁ ଆଣିବା, ତାଙ୍କ ଲୁକ୍କାୟିତ ଥିବା ପ୍ରତିଭାକୁ ଉନ୍ମୋଚନ କରିବା ଓ ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରୀୟ ଖେଳାଳୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କ୍ରୀଡା ଅଭିଯାନ ଆୟୋଜନ କରାଯାଇଛି ବୋଲି କହିବା ସହ ଜିଲ୍ଲା ପ୍ରଶାସନର ଆନ୍ତରିକ ସହଯୋଗ ଯୋଗୁଁ ସ୍ୱଳ୍ପ ସମୟ ମଧ୍ୟରେ ଆଜି ଏହି କ୍ରୀଡା ମହାକୁମ୍ଭର ସ୍ବପ୍ନ ବାସ୍ତବରେ ରୂପାନ୍ତରିତ ହୋଇ ହୋଇଥିବାରୁ ସେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ l ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ ଡ଼ି ଧନରାଜ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ ଯୋଗଦେଇଥିଲେ l ଗତ ୧୦ ତାରିଖ ଠାରୁ ଅନୁଷ୍ଠିତ ହୋଇଥିବା ଏହି ୧୪ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତାର ବାଳକ ବିଭାଗରେ ଟିଏସଏଫ ମୁର୍ଗା ଚମ୍ପିୟାନ ଏବଂ ଟିଏସଏଫ, ଯୋଡ଼ା ରନର୍ସ ଅପ, ବାଳିକା ବିଭାଗରେ ଟିଏସଏଫ, ଯୋଡ଼ା ଚମ୍ପିୟାନ ଓ ତାରିଣୀ ଫୁଟବଲ ଏକାଡେମୀ ରନର୍ସ ଅପ ହୋଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ନିକଟରୁ ଆକର୍ଷଣୀୟ ଟ୍ରଫି ଗ୍ରହଣ କରିଥିଲେ l ଏହି ଉଦଯାପନୀ ସମାରୋହରେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ, କୋଷାଧକ୍ଷ ସରୋଜ କୁମାର ରଣା, ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲିକ, କାଉନସିଲ ସଦସ୍ୟ ରାଜ କୁମାର ମିଶ୍ର ପ୍ରମୁଖ ମଞ୍ଚlସୀନ ଥିଲେ l ରାଇ ମୋହନ ମୁର୍ମୁ ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବୃନ୍ଦାବନ ମୁଣ୍ଡା ଓ ବିଜୟ କୁମାର ମୁଣ୍ଡା l ଚତୁର୍ଥ ରେଫରୀ ଥିଲେ ଦଶମନ୍ତ ଟୁଡୁ l ଫାଓ ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ l

