ସମ୍ବଲପୁର,2//5,(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ‘ଆନ୍ତର୍ଜାତିକ ଶ୍ରମିକ ଦିବସ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର (ଭା.ପ୍ର.ସେ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଭାରତ ସରକାର ଙ୍କ ପ୍ରତିନିଧି ଶ୍ରୀ ନାଉରୀ ନାୟକ, ବିଧାୟକ ସମ୍ବଲପୁରଙ୍କ ପ୍ରତିନିଧି ସୁଶ୍ରୀ ସୁଭଶ୍ରୀ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ ନାୟକ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର,ସମ୍ବଲପୁର ଯୁଗ୍ମ ଶ୍ରମ କମିଶନର ମହେଶ୍ୱର ନାୟକ,ଜିଲ୍ଲା ଶ୍ରମ ଅଧିକାରୀ(ପ୍ରବର୍ତ୍ତନ) ଶତ୍ରୁଜିତ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଭାରପ୍ରାପ୍ତ କୁମାରୀ ପୁଷ୍ପା ମିଞ୍ଜ, ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ନିର୍ମାଣ ଶ୍ରମିକ ଏବଂ ଅସଂଗଠିତ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ମୋଟ ୫୦,୪୧,୪୦୦ ଟଙ୍କାର ସହାୟତା ରାଶି ୫୩ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ଏଥିମଧ୍ୟରେ ବିବାହ ସହାୟତା ୧୯ ଜଣଙ୍କୁ ୯,୨୫,୦୦୦ ଟଙ୍କା, ଶିକ୍ଷା ସହାୟତା: ୦୬ ଜଣଙ୍କୁ ୪୬,୪୦୦ ଟଙ୍କା, ପ୍ରସୂତି ସହାୟତା: ୦୨ ଜଣଙ୍କୁ ୨୦,୦୦୦ ଟଙ୍କା, ମୃତ୍ୟୁକାଳୀନ ସହାୟତା: ୧୦ ଜଣ ନିର୍ମାଣ ଶ୍ରମିକଙ୍କ ପରିବାରକୁ ୨୯,୦୦୦,୦୦୦ ଟଙ୍କା ଏବଂ ୦୬ ଜଣ ଅସଂଗଠିତ ଶ୍ରମିକଙ୍କ ପରିବାରକୁ ୧୧,୦୦,୦୦୦ ଟଙ୍କା, ଅନ୍ତ୍ୟେଷ୍ଟି କ୍ରିୟା ସହାୟତା: ୧୦ ଜଣଙ୍କୁ ୫୦,୦୦୦ ଟଙ୍କା ପ୍ରଧାନ କରାଯାଇଥିଲା Iଏହି କାର୍ଯ୍ୟକ୍ରମରେ ୩୦୦ ଜଣ ନିର୍ମାଣ ଶ୍ରମିକ ଏବଂ ୧୦୦ ଜଣ ଅସଂଗଠିତ ଶ୍ରମିକଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୨୫-୨୬ ବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ମୋଟ ୧୫,୯୫୬ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇ ସାରିଛି। ଜିଲ୍ଲାପାଳ ଶ୍ରୀ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ୍ୟ ଶ୍ରମିକମାନଙ୍କ ସେମାନଙ୍କୁ ଶ୍ରମ ପରିଚୟ ପତ୍ର ଯୋଗାଇଦେବା ସହ ସରକାର ଙ୍କ ତରଫରୁ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ ଏବଂ ସେମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ସଦାସର୍ବଦା ଚେଷ୍ଟିତ ବୋଲି ଅଭିଭାଷଣରେ କହିଥିଲେ ।ସେମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।ସମ୍ବଲପୁର ଯୁଗ୍ମ ଶ୍ରମ କମିଶନର ଶ୍ରୀ ମହେଶ୍ୱର ନାୟକ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ କୁମାରୀ ପୁଷ୍ପା ମିଞ୍ଜ ସଚେତନତା ଭାଷଣ ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

