କେନ୍ଦୁଝର,5//5,(ଉତ୍କଳ ସମାଚାର) . କେନ୍ଦୁଝରର ବରପୁତ୍ର ତଥା ମହାନ ବିପ୍ଳବୀ ଧରଣୀଧରଙ୍କ ୧୬୨ ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ଜିଲ୍ଲା ପ୍ରଶାସନ ଆନୂକୁଲ୍ୟରେ ଓ ଭୂୟାଁ ସାଂସ୍କୃତିକ ସଂଗଠନ, କେନ୍ଦୁଝର ସହଯୋଗରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ପ୍ରେକ୍ଷାଳୟଠାରେ ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ଉପ-ବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶ୍ରୀଯୁକ୍ତ ଦୈତାରୀ ନାଏକ, ସମ୍ମାନନୀୟ ଅତିଥିଭାବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ, ଭୂୟାଁ ସାଂସ୍କୃତିକ ସଂଗଠନର ସଭାପତି ହରିଶଙ୍କର ନାଏକ, ସମ୍ପାଦକ ଶ୍ୟାମସୁନ୍ଦର ନାଏକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଶ୍ରୀ ମାନସ ନାଏକ ଓ ମୁଖ୍ୟ ବକ୍ତା ଭାବେ ଗବେଷକ ପଣ୍ଡିତ ଦୈତାରୀ ମହାପାତ୍ର ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ଶ୍ରୀ ଗଣ୍ଡ ବିପ୍ଳବୀ ଧରଣୀଧର କେନ୍ଦୁଝରର ଗର୍ବ ଓ ଗୌରବ, ସ୍ପର୍ଦ୍ଧା ଓ ସ୍ୱାଭିମାନର ପ୍ରତୀକ ବୋଲି କହିଥିଲେ । ଧରଣୀଧର ଜୟନ୍ତୀ ପାଳନକୁ ପୂଜ୍ୟ ପୂଜାର ମହାନ୍ ପରଂପରା ଭାବେ ଅଭିହିତ କରି ବିପ୍ଳବୀ ଧରଣୀଧରଙ୍କ ତ୍ୟାଗ, ତିତିକ୍ଷା, ସଂଗ୍ରାମ, ଆଦର୍ଶ, ବ୍ୟକ୍ତିତ୍ୱ ଓ ନେତୃତ୍ୱ ସବୁବେଳେ ପ୍ରେରଣା ଯୋଗାଉଥିବ ବୋଲି ମତବ୍ୟକ୍ତ କରିଥିଲେ । ଇଂରେଜ୍ ସମର୍ଥିତ ରାଜତନ୍ତ୍ରର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଧରଣୀଧରଙ୍କ ସଂଗ୍ରାମ ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । କେନ୍ଦୁଝର ଜିଲ୍ଲାରେ ବିକାଶ ପାଇଁ ଏହି ମାଟିର ପୁଅ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତିତ ବିଭିନ୍ନ ଯୋଜନା ଏବଂ ଜିଲ୍ଲା ପ୍ରଶାସନ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇ ଏହାର ସୁଫଳ ନେବା ସହିତ କେନ୍ଦୁଝର ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାପାଇଁ ଶ୍ରୀ ଗଣ୍ଡ ଆହ୍ୱାନ ଜଣାଇଥିଲେ । ଏତଦ୍ବ୍ୟତୀତ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଶ୍ରୀ ଭୋଇ ବକ୍ତବ୍ୟ ପ୍ରଦାନ କରି ଧରଣୀଧରଙ୍କୁ ଅତ୍ୟାଚାରିତ ସମାଜର ତ୍ରାଣକର୍ତା ଭାବେ ବର୍ଣ୍ଣନା କରିବା ସହିତ ରାଜତନ୍ତ୍ରର ଅନ୍ୟାୟ, ଅନୀତି, ବେଠି, ବ୍ୟଭିଚାର ଏବଂ ପ୍ରଜାବିରୋଧି ଶାସନ ବିରୋଧରେ କିପରି ଆଦିବାସୀମାନଙ୍କୁ ସଂଗଠିତ କରି ବିପ୍ଲବ କରିଥିଲେ ତାହା ଅବତାରଣା କରିଥିଲେ । ବିପ୍ଳବୀ ଧରଣୀଧରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ତାଙ୍କର କୃତୀକୁ ସ୍ମରଣ କରିବା ସହିତ ଧରଣୀଧରଙ୍କ ଆଦର୍ଶକୁ ପାଥେୟ କରି କାର୍ଯ୍ୟ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ । ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ବିପ୍ଳବୀ ଧରଣୀଧରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଏହି ସମାରୋହରେ ଭୂୟାଁ ସାଂସ୍କୃତିକ ସଂଗଠନ କେନ୍ଦୁଝରର ସମ୍ପାଦକ ଶ୍ୟାମସୁନ୍ଦର ନାଏକ ବିବରଣୀ ଉପସ୍ଥାପନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସାର୍ଥକ ରାୟ ସମାରୋହର ସଂଚାଳନା କରିଥିଲା ବେଳେ ପ୍ରକଳ୍ପ ନିର୍ଦ୍ଦେଶକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, କେନ୍ଦୁଝର ଶିବଶଙ୍କର ମିଶ୍ର ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବିପ୍ଳବୀ ଧରଣୀଧରଙ୍କ ଜୀବନାଦର୍ଶର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁଆଲି ଅଞ୍ଚଳର ଶ୍ରୀଯୁକ୍ତ କବିନ୍ଦ୍ର ନାଏକଙ୍କୁ “ଧରଣୀଧର ସମ୍ମାନ” ପ୍ରଦାନ କରାଯାଇଥିଲା । ଏତଦ୍ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା / ଉତ୍କର୍ଷତା ହାସଲ କରିଥିବା ଜନଜାତି ବର୍ଗର ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୨୫ ମସିହା ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ଜନଜାତି ବର୍ଗର ଛାତ୍ରଛାତ୍ରୀ, ଭୂୟାଁ ବର୍ଗର ଛାତ୍ରଛାତ୍ରୀ, +୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ୨ ଜଣ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ନେକେଡାଘର ଓ ଜେଲ ରୋଡ ସମେତ ବିଭିନ୍ନ ସ୍ଥାନରେ ଥିବା ବିପ୍ଲବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ବରେଣ୍ୟ ଅତିଥିଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା ଏବଂ ସକାଳେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା।

