ରାଉରକେଲା ୮/୫,(ଉତ୍କଳ ସମାଚାର) ଗୁରୁବାର ସନ୍ଧ୍ୟାରେ ରଘୁନାଥପଲ୍ଲୀ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ଆହ୍ବାନ କ୍ରମେ ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର-୮ ମାର୍କେଟ ଠାରେ ନିର୍ବାଚନ ମଣ୍ଡଳୀର ଜନସାଧାରଣ ତଥା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଝାଲ୍ ମୁଢ଼ି ପେ ଚର୍ଚ୍ଚା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଏବଂ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଜନତା ସେମାନଙ୍କ ମତ ପ୍ରକାଶ କରିଥିଲେ ଓ ଆଗ୍ରହର ସହ ଚର୍ଚ୍ଚାରେ ଅଂଶ ଗ୍ରହଣ କରିଥିଲେ। ବିଧାୟକ ତାଙ୍କ ବକ୍ତବ୍ୟରେ ଚଳିତ ମାସ ୪ ତାରିଖରେ ପ୍ରକାଶିତ ୫ଟି ରାଜ୍ୟର ନିର୍ଵାଚନ ଫଳାଫଳକୁ ନେଇ ବିଜେପିର ଐତିହାସିକ ବିଜୟକୁ ସ୍ଵାଗତ କରିବା ସହିତ ଜନତାଙ୍କୁ ଅଶେଷ ଧନ୍ୟଵାଦ ଜଣାଇ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ବିବିଧ ଜନହିତକାରୀ ଯୋଜନା ଉପରେ ଆଲୋକପାତ କରି ସମସ୍ତେ ଏହାର ସୁଯୋଗ ନେବା ପାଇଁ ଆହ୍ଵାନ ଦେଇଥିଲେ। ରଘୁନାଥପାଲ୍ଲୀ ନିର୍ବାଚନ କ୍ଷେତ୍ରରେ ଯାହାକିଛି ସମସ୍ୟା ରହିଛି ତାହା ତାଙ୍କ ଦୃଷ୍ଟିକୁ ଆଣିବା ପାଇଁ ସେ କହିଥିଲେ ଓ ଏହାର ସମାଧାନ କରିବାକୁ ପ୍ରୟାସ କରିବେ ବୋଲି ପ୍ରକାଶ କରିଥିଲେ । ବରିଷ୍ଠ ନେତା ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଓ ଜିଲ୍ଲା ପ୍ରାକ୍ତନ ସମ୍ପାଦକ ଅଜୟ କଂସାରୀ ତାଙ୍କ ବକ୍ତବ୍ୟରେ ସମସ୍ତେ ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ପ୍ରଗତିରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଚା ପେ ଚର୍ଚ୍ଚାରୁ ବଙ୍ଗ ନିର୍ବାଚନ ପ୍ରଚାର ସମୟରେ ଝାଲ ମୁଢ଼ି ଜଣେ ସାଧାରଣ ଦୋକାନି ଠାରୁ କିଣି ଖାଇଥିଲେ ତାହା ବହୁଳ ଭାବରେ ବେଙ୍ଗଲ ନିର୍ବାଚନରେ ପ୍ରଭାବ ପଡ଼ିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଲୋକମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

