ରାଉରକେଲା ୮/୫,(ଉତ୍କଳ ସମାଚାର) ସହରର ଲୋକଙ୍କୁ ପରିବହନ ସେବା, ପାନୀୟ ଜଳ ଏବଂ ଦକ୍ଷ-ଶାସନ ଦେବା ପାଇଁ ୨୦୧୫ ଜୁନ ୨୫ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଘୋଷଣା କରାଯାଇଥିବା ୧୦୦ଟି ସ୍ମାର୍ଟ ସିଟି ପରିଯୋଜନାରେ ଓଡିଶାର ଭୁବନେଶ୍ବରକୁ ପ୍ରଥମ ଦଫାରେ ଅନ୍ତର୍ଭୁକ୍ତ କରାଯାଇଥିଲା ବେଳେ ତୃତୀୟ ଥର ଘୋଷଣାରେ ରାଉରକେଲା ସହରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସ୍ମାର୍ଟ ସିଟି ପରିଯୋଜନାର ପ୍ରଥମ ଘୋଷଣାରେ ୨୦ଟି ସହର ମଧ୍ୟରେ ଭୁବନେଶ୍ଵର ସ୍ଥାନ ପାଇଥିଲା ବେଳେ, ରାଉରକେଲାକୁ ତୃତୀୟ ସ୍ମାର୍ଟ ସିଟି ଘୋଷଣାରେ ସ୍ଥାନୀତ ହୋଇଥିଲା। ଭୁବନେଶ୍ବରକୁ ୨୦୧୬ ଜାନୁଆରୀ ୨୮ରେ ଅନ୍ତର୍ଭୁକ୍ତ କରାଯାଇଥିଲା ବେଳେ, ରାଉରକେଲା ସହରକୁ ୨୦୧୬ ସେପ୍ଟେମ୍ବର ୨୦ରେ ଅନ୍ତର୍ଭୁକ୍ତ କରାଯାଇଥିଲା।ରାଉରକେଲା ସହରକୁ ସ୍ମାର୍ଟ ସିଟି ପରିଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପୂର୍ବରୁ ୨୦୧୪ ନଭେମ୍ବର ୧୪ ତାରିଖରେ ରାଉରକେଲାକୁ ମହାନଗର ନିଗମ ଘୋଷଣା କରାଯାଇଥିଲା। କିନ୍ତୁ କେତେକ ଗ୍ରାମକୁ ରାଉରକେଲା ମହାନଗର ନିଗମର ଓ୍ବାର୍ଡ ଭାବରେ ନିଆଯାଇଥିବାରୁ, ସେହି ଗ୍ରାମର ଅଧିବାସୀମାନଙ୍କ ପକ୍ଷରୁ ମହାନଗର ନିଗମ ବିଜ୍ଞପ୍ତିକୁ ବିରୋଧ କରି ୨୦୧୪ରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦାୟର କରାଯାଇଥିବା ଆବେଦନ ଉପରେ ଓଡ଼ିଶା ଉଚ୍ଚ ନ୍ଯାୟାଳୟ ରହିତାଦେଶ ଦେଇଥିଲେ। ଯାହା ଦୀର୍ଘ ୧୨ ବର୍ଷ ପରେ ୨୦୨୬ ଏପ୍ରିଲରେ ବିଜ୍ଞପ୍ତି ବିରୋଧରେ ହୋଇଥିବା ଆବେଦନକୁ ଓଡିଶା ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିଲେ। ବିଜ୍ଞପ୍ତି ସପକ୍ଷରେ ନ୍ଯାୟାଳୟଙ୍କ ଆଦେଶ ରହିଥିବାରୁ ରାଉରକେଲା ମହାନଗର ନିଗମର ନିର୍ବାଚନ ହେବାର ସମ୍ଭାବନା ଦେଖାଦେଇଛି। ଅନ୍ୟପକ୍ଷରେ ୧୦ ବର୍ଷ ଧରି ରାଉରକେଲା ସ୍ମାର୍ଟ ସିଟି ହୋଇଥିଲେ ମଧ୍ୟ, ସ୍ମାର୍ଟ ସିଟି ପରିଯୋଜନାରେ ରାସ୍ତାର ଉନ୍ନତିକରଣ ଏବଂ ମୋଟରଯାନ ପାଇଁ ସର୍ବସାଧାରଣ ପାର୍କିଂ ସୁବିଧା ହୋଇପାରି ନାହିଁ। ପାନୀୟ ଜଳର ସୁବିଧା ସ୍ମାର୍ଟ ସିଟିର ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ। ସ୍ମାର୍ଟ ସିଟି ପରିଯୋଜନା ଅନ୍ତର୍ଗତ ଦକ୍ଷ-ଶାସନ ବ୍ଯବସ୍ଥାର ଅବହେଳା ଯୋଗୁଁ ବେଦଖଲ ହୋଇଥିବା ସରକାରୀ ଜମିରୁ ଉଚ୍ଛେଦ କାର୍ଯ୍ଯରେ ଅବହେଳା ଦେଖାଦେବା ସହ ପାର୍କିଂ ବ୍ୟବସ୍ଥାକୁ କାର୍ଯ୍ଯକାରୀ କରାଯାଇପାରୁନାହିଁ। ସ୍ମାର୍ଟ ସିଟି ପରିଯୋଜନାରେ ପାର୍କର ଉନ୍ନତି କରାଯିବାକୁ ଥିଲାବେଳେ, ବର୍ତ୍ତମାନ ସୁଦ୍ଧା ପାର୍କଗୁଡିକୁ ବିବାହ, ବ୍ରତ କାର୍ଯ୍ଯ ପାଇଁ ମହାନଗର ନିଗମ ପକ୍ଷରୁ ଭଡାରେ ଦିଆଯାଇ ଅର୍ଥ ଉପାର୍ଜନ କରାଯାଉଛି। ବିବାହ, ବ୍ରତ ପାଇଁ ସୋସିଆଲ ହୋମର ଆବଶ୍ୟକତା ଥିଲାବେଳେ ତାହା ମଧ୍ୟ ସଠିକ ଭାବରେ ପୂରଣ ହୋଇପାରିନାହିଁ। ରାଉରକେଲା ମହାନଗର ଲାଇବ୍ରେରୀ ନିକଟରେ ଥିବା ଏକମାତ୍ର ଛୋଟ ଅଡିଟୋରିୟମର ଧାର୍ଯ୍ୟ ଭଡା ଠାରୁ ମହାନଗର ନିଗମ କର୍ତ୍ତୃପକ୍ଷ ହଠାତ୍ ବୃଦ୍ଧି କରିଥିବାରୁ, ତାହା ମଧ୍ଯ କୌଣସି ଅନୁଷ୍ଠାନର କାର୍ଯ୍ଯରେ ଆସିପାରୁ ନାହିଁ। ଏ ସମସ୍ତ ବିଷୟକୁ ନେଇ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ଚର୍ଚ୍ଚାରେ ରହିଥିବା ବେଳେ, ଆଗାମୀ ପୌର ନିର୍ବାଚନ ରାଉରକେଲା ମହାନଗର ନିଗମର ଭାଗ୍ଯ ନିର୍ଦ୍ଧାରଣ କରିବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ତତ୍ପରତା ଏବଂ ବ୍ୟୟବରାଦ ଏ ଦିଗରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ଉନ୍ନତିକରଣରେ କେତେ ସହାୟକ ହେବ ତାହା ଦେଖିବାକୁ ବାକି ରହିଲା।

