ରାଉରକେଲା:8//5,(ଉତ୍କଳ ସମାଚାର), ପ୍ରୟାସ ନାଟ୍ୟାନୁଷ୍ଠାନ ପକ୍ଷରୁ ବହୁଭାଷୀ ନାଟ୍ଯ ମହୋତ୍ସବ-୨୦୨୬ର ଆଜି ଦ୍ବିତୀୟ ଦିନରେ ନାଟକ “ଶୁଣ ସୁଜନେ” ଅନୁଷ୍ଠିତ ହୋଇଯାଇଛି। ଆଜିର ଦ୍ବିତୀୟ ଦିନର ମୁଖ୍ୟ ଅତିଥି ଭାବେ ଦୀପିକା ମହିଳା ସଂହତିର ଉପାଧ୍ୟକ୍ଷା ଡକ୍ଟର ପ୍ରତିଜ୍ଞା ପଲେଇ ଏବଂ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ସହର ସେବା ମୁଖ୍ୟ ପ୍ରତାପ କୁମାର ସ୍ବାଇଁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ନାଟ୍ୟ ନିର୍ଦ୍ଦେଶକ ତଥା ସୁସଙ୍ଗଠକ ଶରତ କୁମାର ଦାସଙ୍କୁ ପ୍ରଥମ “ଚିନ୍ତା- ପ୍ରତିମା ନାଟ୍ୟବନ୍ଧୁ ସମ୍ମାନ” ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ତଥା ଦୀପିକା ମହିଳା ସଂହତିର ଉପାଧ୍ୟକ୍ଷା ପ୍ରତିଜ୍ଞା ପଲେଇ ତାଙ୍କ ବକ୍ତବ୍ୟରେ ପ୍ରୟାସ ନାଟ୍ୟାନୁଷ୍ଠାନକୁ ଏଭଳି ନାଟ୍ୟ ମହୋତ୍ସବ ପାଇଁ ପ୍ରଶଂସା କରିଥିଲେ। ଭୁବନେଶ୍ବରର ଡାଇନାମିକ ଥିଏଟର ନାଟ୍ୟକାର ବିଶ୍ଵଜିତ ଦାସଙ୍କ ନାଟକ “ଶୁଣ ସୁଜନେ” ମଞ୍ଚସ୍ଥ ହୋଇଥିଲା। ଏହି ନାଟକର ସାରମର୍ମ ହେଉଛି, ସମାଜର ସବୁ ମଣିଷ ସମାନ ନୁହଁନ୍ତି। କିଛି ମୁଖାପିନ୍ଧା ମଣିଷ ମଧ୍ୟ ଅଛନ୍ତି , ଯେଉଁମାନେ ନିଜର ଅସଲ ସଇତାନ ରୂପକୁ ଭଦ୍ରଲୋକର ବେଶ ପୋଷାକ ମଧ୍ୟରେ ଲୁଚେଇ ରଖନ୍ତି। ପୁଣି ବେଳେବେଳେ ଦେଖାଯାଏ , ଋକ୍ଷ, କଠୋର , ଗୁଣ୍ଡା ଭଳି ଦିଶୁଥିବା ଲୋକଟା ବାସ୍ତବରେ ଖାଣ୍ଟି ମଣିଷପଣିଆର ଅଧିକାରୀ ହୋଇଥାଏ | ଏହି ନାଟକ “ଶୁଣ ସୁଜନେ”ରେ ଆମେ ଏମିତି କେତେଜଣ ଚରିତ୍ରଙ୍କୁ ଭେଟିବାର ସୁଯୋଗ ପାଇଥାଉଁ। ହାସ୍ୟରସ ମାଧ୍ୟମରେ ଏକ ଦର୍ଶନର ଉପସ୍ଥାପନ କରି ନାଟ୍ୟକାର ଆମକୁ ଚମତ୍କୃତ କରନ୍ତି। ଆଜିର ନାଟକ “ଶୁଣ ସୁଜନେ”ରେ ଅଭିନୟ କରିଥିଲେ ନବୀନ କୁମାର ପରିଡା, ସୌମ୍ୟଶୋଭନ ନାୟକ, ଭକ୍ତିରଞ୍ଜନ ଦାସ, ହିମାଂଶୁ ବେହେରା, ସ୍ମୃତିଶ୍ରଦ୍ଧା ବିଶ୍ୱାଳ, ସିଦ୍ଧାନ୍ତ ବଳିୟାରସିଂହ, ଦେବବ୍ରତ ପଟ୍ଟନାୟକ। ଶୁଣ ସୁଜନେ ନାଟକର ସହଯୋଗୀ ନିର୍ଦ୍ଦେଶକ ହିମାଂଶୁ ବେହେରା ଥିଲାବେଳେ ମଞ୍ଚ ପରିଚାଳନା କରିଥିଲେ ସ୍ମୃତିଶ୍ରଦ୍ଧା ବିଶ୍ୱାଳ ଏବଂ ସିଦ୍ଧାନ୍ତ ବଳିୟାରସିଂହ। ମଞ୍ଚସଜ୍ଜାରେ ପ୍ରଂଜ୍ଞାଦତ୍ତ ସାହୁ। ସଂଗୀତରେ ଶକ୍ତି ପ୍ରସାଦ ମିଶ୍ର, ଆଲୋକରେ ଅଭିଜିତ ବିଶ୍ୱାଳ ଏବଂ ରୂପସଜ୍ଜାରେ ମାନସ ପ୍ରଧାନ ସହଯୋଗ କରିଥିଲେ। ଯୁବ ନିର୍ଦେଶକ ଦେବବ୍ରତ ପଟ୍ଟନାୟକ “ଶୁଣ ସୁଜନେ” ନାଟକର ନିର୍ଦ୍ଦେଶନା ଦେଇଥିଲେ।

