ରାଉରକେଲା:10//5,(ଉତ୍କଳ ସମାଚାର) ନାଟ୍ୟନୁଷ୍ଠାନ ପ୍ରୟାସ, ରାଉରକେଲା ପକ୍ଷରୁ “ଚିନ୍ତା-ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବଙ୍ଗଳା ନାଟକ ଶାସ୍ତି ମଞ୍ଚସ୍ଥ ହୋଇଯାଇଛି । ଏହି ଅବସରରେ ନମ୍ରତା ବର୍ମା ମୁଖ୍ୟ ଅତିଥି , ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ଅତିଥିମାନେ ନାଟକ ସମାଜର ଦର୍ପଣ ହେବା ସହ ମାନବୀୟ ମୂଲ୍ୟବୋଧକୁ ଜୀବନ୍ତ ରଖିବାରେ ଏହାର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରୟାସର ସାଂସ୍କୃତିକ ସମ୍ପାଦକ ରାଜେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ପଶ୍ଚିମବଙ୍ଗର ଗୋବରଡଙ୍ଗା ରଙ୍ଗଭୂମି ପକ୍ଷରୁ ମଞ୍ଚସ୍ଥ ବଙ୍ଗଳା ନାଟକ “ଶାସ୍ତି” । ରବୀନ୍ଦ୍ରନାଥ ଠାକୁରଙ୍କ ଅମର କାହାଣୀ ଅବଲମ୍ବନରେ ଏହି ନାଟକକୁ ନାଟ୍ୟରୂପ ଦେଇଥିଲେ ବୀରୁ ବନ୍ଦୋପାଧ୍ୟାୟ ଓ ନିର୍ଦ୍ଦେଶନା ଦେଇଥିଲେ ବିଧାନ ଚନ୍ଦ୍ର ହାଲଦାର ।ନାଟକର କାହାଣୀ ଦୁଇ ଭାଇ ଚିଦେମ ଓ ଦୁଃଖିରାମଙ୍କ ପରିବାରକୁ କେନ୍ଦ୍ର କରି ଗଢ଼ିଉଠିଛି । ଦାରିଦ୍ର୍ୟ, ଅଭାବ, ଦାମ୍ପତ୍ୟ ସଂଘର୍ଷ ଓ ସମାଜରେ ନାରୀର ସ୍ଥାନକୁ ଗଭୀର ଭାବରେ ଉପସ୍ଥାପନ କରିଥିବା ଏହି ନାଟକ ଦର୍ଶକମାନଙ୍କୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରିଥିଲା । ଚନ୍ଦରା ଚରିତ୍ରର ମାନସିକ ସଂଘର୍ଷ ଓ ତ୍ୟାଗ ନାଟକର ମୁଖ୍ୟ ଆକର୍ଷଣ ଥିଲା ।ନାଟକରେ ଚନ୍ଦରା ଭୂମିକାରେ ସନ୍ଧ୍ୟା, ରାଧା ଭୂମିକାରେ ଶ୍ରାବନ୍ତୀ ହାଲଦାର, ଚିଦେମ ଭୂମିକାରେ ଇବ୍ରାହିମ ମଣ୍ଡଳ ଏବଂ ଦୁଃଖିରାମ ଭୂମିକାରେ ନୀରଜ ମଣ୍ଡଳ ପ୍ରଭାବଶାଳୀ ଅଭିନୟ କରିଥିଲେ । ରାମଲୋଚନ ଭୂମିକାରେ ମୁକୁନ୍ଦ ଚକ୍ରବର୍ତ୍ତୀ ଓ ପାଇକ ଭୂମିକାରେ ଅଜାରୁଦ୍ଦିନ ଅଲି ମଧ୍ୟ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ।ମଞ୍ଚସଜ୍ଜାରେ ଇବ୍ରାହିମ ମଣ୍ଡଳ, ସଂଗୀତରେ ଜୟଦୀପ ବିଶ୍ୱାସ, ସଙ୍ଗୀତ ଅପରେଟର ଭାବେ ରାହୁଳ ବାରୋଇ ଓ ରୂପସଜ୍ଜା ବେଶପୋଷାକ ରେ ସନ୍ଧ୍ୟା ନିଜ ଦକ୍ଷତାର ପରିଚୟ ଦେଇଥିଲେ । ଆଲୋକ ସଂଯୋଜନା ଓ ନିର୍ଦ୍ଦେଶନାରେ ବିଧାନ ଚନ୍ଦ୍ର ହାଲଦାରଙ୍କ କାର୍ଯ୍ୟ ନାଟକକୁ ଅଧିକ ଜୀବନ୍ତ କରିଥିଲା ।

