ରାଉରକେଲା ୧୪/୫,(ଉତ୍କଳ ସମାଚାର) ଆଉ ଦିନକ ପରେ ଅର୍ଥାତ୍ ଶନିବାର ଦିନ ସାବିତ୍ରୀ ବ୍ରତ। ସମଗ୍ର ଭାରତ ବର୍ଷରେ ସାବିତ୍ରୀ ବ୍ରତ ପାଳନ କରାଯାଉଥିବା ବେଳେ, ଓଡିଶାରେ ଏହା ସଂସ୍କୃତିର ପର୍ବ ଭାବରେ ପାଳନ କରାଯାଇଥାଏ। ସାବିତ୍ରୀ ବ୍ରତ ଯୋଗୁଁ ରାଉରକେଲା ସହରର ମହିଳାମାନେ ପୂଜା ପାଇଁ ଆବଶ୍ୟକ କରୁଥିବା ଶାଢୀ ଏବଂ ପୂଜା ସାମଗ୍ରୀ ସହିତ ବ୍ରତ କିଣିବା ପାଇଁ ବଜାରରେ ଭିଡ ଲଗାଇଛନ୍ତି। ଏହି ସାବିତ୍ରୀ ବ୍ରତ ପାଳନ ପାଇଁ ମହିଳାମାନେ ଦୋକାନରୁ ଫଳ ଏବଂ ପୂଜା ସାମଗ୍ରୀ କିଣୁଛନ୍ତି। ସହରର ମୁଖ୍ୟ ରାସ୍ତା ସମେତ ଟ୍ରାଫିକ୍ ମାର୍କେଟ୍, ଡେଲି ମାର୍କେଟ, ବାସନ୍ତୀ ମାର୍କେଟ, ଇସ୍ପାତ ମାର୍କେଟ, ଆମ୍ବବାଗାନ୍, ପାନପୋଷ ମାର୍କେଟ, ଫର୍ଟିଲାଇଜର୍ ମାର୍କେଟ ସମେତ ଛେଣ୍ଡ୍ ମାର୍କେଟରେ ଥିବା ଲୁଗା ଦୋକାନ ଏବଂ ପୂଜା ସାମଗ୍ରୀ ଦୋକାନ ଗୁଡିକରେ ଶାଢୀ ଓ ପୂଜା ସାମଗ୍ରୀ କିଣିବା ପାଇଁ ଭିଡ ଦେଖିବାକୁ ମିଳିଥିଲା। ପୂଜା ଦୋକାନ ସମେତ ଫଳ ଦୋକାନରେ ଫଳ କିଣିବା ପାଇଁ ମହିଳାମାନଙ୍କ ଭିଡ ପରିଲକ୍ଷିତ ହେଉଛି। ଫଳର ମୂଲ୍ୟ ବୃଦ୍ଧି ଯୋଗୁଁ କଦଳୀ ଡଜନ ପିଛା ୫୦ ଟଙ୍କାରୁ ୬୦ ଟଙ୍କା, ଡାଳିମ୍ବ କିଲୋ ୧୦୦ ଟଙ୍କା, ଲିଚୁ କିଲୋ ୧୦୦ ଟଙ୍କା, ପିଜୁଳି କିଲୋ ୧୦୦ ଟଙ୍କା, ମୌସୁମୀ କିଲୋ ୧୦୦ ଟଙ୍କା, ତାଳ ଗୋଟା ୩୦ ଟଙ୍କା, ଖଜୁରୀ ଅନାରସ, ଗୁଆ, ସପେଦା ଫଳ ଏବଂ ଅନ୍ୟାନ୍ୟ ଫଳ ଜୋରସୋରରେ ବିକ୍ରି ହେଉଛି। ସାବିତ୍ରୀ ବ୍ରତ ଓ ପୂଜା ପାଇଁ ବଜାରରେ ଦୁଇଦିନ ଭିଡ ଦେଖାଯିବ।


