ରାଉରକେଲା ୧୯/୫,(ଉତ୍କଳ ସମାଚାର) ସୋମବାର ସନ୍ଧ୍ୟାରେ ଉଦିତନଗର ଫିଟନେସ୍ ପାର୍କରେ ଠିକା କାମକୁ କେନ୍ଦ୍ର କରି ଠିକାଦାରଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି ବୋଲି ଉଦିତନଗର ଅଭିଯୋଗ କରାଯିବା ସହିତ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଥାନା ଆଗରେ ଧାରଣାରେ ବସିଛନ୍ତି ଠିକାଦାର ସଂଘ। ସୂଚନା ଅନୁସାରେ ସୋମବାର ସନ୍ଧ୍ଯାରେ ଠିକାକାମକୁ କେନ୍ଦ୍ର କରି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସୁବାଷ ଚନ୍ଦ୍ର ବୋଷ ଫିଟନେସ୍ ପାର୍କରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ଗୋଟିଏ ଗୋଷ୍ଠୀର ମାଡରେ ଅନ୍ୟ ଗୋଷ୍ଠୀର ତାପସ ଆଚାର୍ଯ୍ୟ, ରମେଶ ଜେନା, ପ୍ରତାପ ସାହୁ ଏବଂ ବୁଲୁ ଭୂୟାଁ ଆହତ ହୋଇଥିଲେ। ଠିକାଦାର ତାପସ ଆଚାର୍ଯ୍ୟଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା। ଘଟଣାକୁ କେନ୍ଦ୍ରକରି ଉଦିତନଗର ଥାନାରେ ଶତାଧିକ ଠିକାଦାର ପହଞ୍ଚି ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବି କରି ଧାରଣାରେ ବସିଥିଲେ। ଯାହାକୁ ନେଇ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ପୁଲିସ ଉତ୍ତେଜିତ ରାଉରକେଲା ଠିକାଦାର ସଂଘର କର୍ମକର୍ତ୍ତାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ବାରିପଦା ଓ ରାଉରକେଲା ଠିକାଦାର ସଂଘର ଲିଖିତ ଅଭିଯୋଗ ଆଧାରରେ ଉଦିତନଗର ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଛି | ପୁଲିସ ରାଉରକେଲା ଠିକାଦାର ସଂଘର ଆବାହକ ଆହତ ତାପସ, ରମେଶ, ପ୍ରତାପ ଓ ଅପରଗୋଷ୍ଠୀର ବୟାନ ଆଧାରରେ ଘଟଣାର ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ ରାଉରକେଲା ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ଦୁଇ କୋଟିର ରାସ୍ତା କାମ ପାଇଁ ଟେଣ୍ଡର ବାହାରିଥିଲା। ବାରିପଦାର ସତ୍ୟେନ୍ଦ୍ର ପ୍ରସାଦଙ୍କ କିଛି ସହଯୋଗୀ ଟେଣ୍ଡର ପକାଇଥିଲେ। ଯାହାକୁ ରାଉରକେଲା ଠିକାଦାର ସଂଘ ବିରୋଧ କରିଥିଲା। ବିବାଦ ହେବାରୁ ଆପୋଷ ସମାଧାନ ପାଇଁ ଦୁଇ ପକ୍ଷଙ୍କର ଆଜି ଫିଟ୍ନେସ୍ ପାର୍କରେ ବୈଠକ ବସିଥିଲା। ତାପସ ଆଚାର୍ଯ୍ୟ, ରମେଶ ଜେନା, ବିଜୟ ପ୍ରଧାନ, ପ୍ରତାପ ସାହୁ, ବୁଲୁ ଭୂୟାଁଙ୍କ ସମେତ ୮ ଜଣ ସେଠାରେ ଉପସ୍ଥିତ ଥିଲେ। ବାରିପଦା ଠିକାଦାର ସତ୍ୟେନ୍ଦ୍ର ପ୍ରସାଦ ଓ ତାଙ୍କର କିଛି ସହଯୋଗୀ ଓ ଦୁଇ ଅଙ୍ଗରକ୍ଷୀ ସେଠାରେ ପହଞ୍ଚିଥିଲେ। ତାପସଙ୍କ ଲିଖିତ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ସତ୍ୟେନ୍ଦ୍ର ଓ ତାଙ୍କ ଦୁଇ ସହଯୋଗୀ ସମାଧାନ ପରିବର୍ତ୍ତେ ପାଟିତୁଣ୍ଡ କରିଥିଲେ। ସତ୍ଯେନ୍ଦ୍ରଙ୍କ ଦୁଇ ସହଯୋଗୀଙ୍କ ମଧ୍ଯରୁ ଜଣେ ସହଯୋଗୀ ଠିକାଦାର ତାପସଙ୍କୁ ମାରିଦେବାକୁ ଧମକ ଦେବା ସହ ଟିପା ଛୁରୀରେ ଆକ୍ରମଣ କରିଥିଲେ। ତାପସଙ୍କ ମୁହଁ ତଳେ ଗଭୀର ଆଘାତ ଲାଗିଥିଲା। ପ୍ରତାପ, ସୂର୍ଯ୍ୟକାନ୍ତ, ବିଜୟ, ରମେଶ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବାରିପଦା ଠିକାଦାର ସତ୍ଯେନ୍ଦ୍ରଙ୍କ ସହଯୋଗୀ। ଖବର ପାଇ ପୁଲିସ ପହଞ୍ଚିବା ପରେ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ ହେଁ କିଛି ସୁଫଳ ହୋଇନଥିଲା । ଏହି ଘଟଣା ପରେ ରାଉରକେଲା ଠିକାଦାର ସଂଘର ଶତାଧିକ ଠିକାଦାର ଉଦିତନଗର ଥାନାରେ ପହଞ୍ଚି ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଥିଲେ। ତେବେ ଦୁଇ ଗୋଷ୍ଠୀର ବିବାଦ ଉପରେ ପୁଲିସ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି |

