ରାଉରକେଲା ୨୦/୫,(ଉତ୍କଳ ସମାଚାର) ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ସୁନ୍ଦରଗଡ଼ ଜିଲ୍ଲା ପାଇଁ ରଞ୍ଜିତ ନାୟକଙ୍କୁ ନିଜର ଅଧିକୃତ ଜିଲ୍ଲା ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି । ଏ ସମ୍ପର୍କରେ ସାଂସଦ ୨୦୨୬ ମଇ ୧୪ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଏକ ସରକାରୀ ପତ୍ର ଲେଖି ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି। ରଞ୍ଜିତ ନାୟକ ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳରେ ଜଣେ ସମର୍ପିତ ସମାଜସେବୀ ଭାବେ କାର୍ଯ୍ୟ କରିଆସୁଥିଲେ ଏବଂ ସାଧାରଣ ଜନତାଙ୍କ ସୁଖଦୁଃଖ ସହ ସେ ସର୍ବଦା ଜଡ଼ିତ ରହିଛନ୍ତି । ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବା ଏବଂ ସେମାନଙ୍କ ହକ ପାଇଁ ସ୍ୱର ଉତ୍ତୋଳନ କରିବାରେ ତାଙ୍କର ପ୍ରଶଂସନୀୟ ଭୂମିକା ରହିଆସିଛି। ତାଙ୍କର ଏହି ଜନହିତକର କାର୍ଯ୍ୟ ଓ ସାଧାରଣ ଲୋକଙ୍କ ପ୍ରତି ଥିବା ନିଷ୍ଠାକୁ ଦୃଷ୍ଟିରେ ରଖି ରାଜ୍ଯସଭା ସାଂସଦ ଶ୍ରୀ ରାୟ ତାଙ୍କୁ ଏହି ବଡ଼ ଦାୟିତ୍ଵ ପ୍ରଦାନ କରିଛନ୍ତି। ଯାହାଦ୍ୱାରା ଜିଲ୍ଲାରେ ଜନସେବା କାର୍ଯ୍ୟ ଆହୁରି ବେଗବାନ ହୋଇପାରିବ ବୋଲି ବିବେଚନା କରାଯାଏ। ସାଂସଦଙ୍କ ପତ୍ର ଅନୂଯାୟୀ, ଗଞ୍ଜିତ ନାୟକ ଏବେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ବୈଠକରେ ସାଂସଦଙ୍କ ତରଫରୁ ଭାଗ ନେବେ ଏବଂ ପ୍ରଶାସନିକ ସ୍ତରରେ ଜନସାଧାରଣଙ୍କ ସମସ୍ୟାକୁ ଦୃଢ଼ ଭାବେ ଉପସ୍ଥାପନ କରିବେ। ସେ ସମ୍ପୃକ୍ତ ବିଭାଗ ଏବଂ ଅଧୁକାରୀମାନଙ୍କ ସହିତ ନିରନ୍ତର ସମନ୍ଵୟ ରକ୍ଷା କରି ଜିଲ୍ଲାର ବିକାଶ ଓ ଜନକଲ୍ୟାଣ ସହ ଜଡ଼ିତ ସମସ୍ତ ସରକାରୀ ଯୋଜନାର ଅଗ୍ରଗତି ଉପରେ ନଜର ରଖିବେ । ସାଂସଦଙ୍କ ଅନୁପସ୍ଥିତିରେ ଜିଲ୍ଲା ସମ୍ବନ୍ଧୀୟ ସମସ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ସେ ସାଂସଦ କାର୍ଯ୍ୟାଳୟର ପ୍ରତିନିଧିତ୍ବ କରିବେ । ସାଂସଦ ଦିଲ୍ଲୀପ ରାୟ ଜିଲ୍ଲାର ସମସ୍ତ ଅଧିକାରୀ ଓ ବିଭାଗକୁ ଅନୁରୋଧ କରିଛନ୍ତି ଯେ, ରଞ୍ଜିତ ନାୟକଙ୍କୁ ତାଙ୍କର ଏହି ସାମାଜିକ ଓ ସରକାରୀ ଦାୟିତ୍ୱ ତୁଲାଇବାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରାଯାଉ । ଏହି ପତ୍ରର ଏକ ନକଲ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର କମିଶନରଙ୍କ ପାଖକୁ ମଧ୍ୟ ସୂଚନା ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଛି । ଏହି ସମ୍ମାନଜନକ ନିଯୁକ୍ତି ପରେ ଶନିବାର ଦିନ ସାଂସଦ ପ୍ରତିନିଧି ରଞ୍ଜିତ ନାୟକ ନିଜର ବିପୁଳ ସମର୍ଥକମାନଙ୍କ ସହ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ॥ ମହାପାତ୍ରଙ୍କୁ ସାକ୍ଷାତ କରି ଏହି ସରକାରୀ ପତ୍ର ହସ୍ତାନ୍ତର କରିଛନ୍ତି। ଜିଲ୍ଲାର ଜନସାଧାରଣଙ୍କ ସେବା ପାଇଁ ଏହି ନୂତନ ମାଧ୍ୟମ ମିଳିଥିବାରୁ ସେ ସାଂସଦଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ଅଞ୍ଚଳର ଉନ୍ନତି ପାଇଁ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ, ମହାନଦୀ କୋଲ ଫିଲ୍ଡ ସୁନ୍ଦରଗଡ଼ ପ୍ରତିନିଧି ଭାବେ ରାଜେଶ ରାୟଙ୍କୁ ମଙ୍ଗଳବାର ଦିନ ନିଯୁକ୍ତି ଦେଇଥିବା ଘୋଷଣା କରାଯାଇଛି। ସ୍ଥାନୀୟ ଶ୍ରମିକ ଓ କର୍ମଚାରୀମାନଙ୍କ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଶ୍ରୀ ରାୟଙ୍କ ପ୍ରତିନିଧି ଭାବେ ରାଜେଶ ରାୟ ପ୍ରତିନିଧିତ୍ୱ କରିବେ। ଏ ନେଇ ସାଂସଦ ଶ୍ରୀ ରାୟ ଏମ୍ ସି ଏଲ ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ କୋଲେଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

