ରାଉରକେଲା ୨୨/୦୫,(ଉତ୍କଳ ସମାଚାର) ଓଡ଼ିଆ ଚଳଚ୍ଚିତ୍ରର ୯୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ମଇ ୨୪ ତାରିଖ ସନ୍ଧ୍ୟା ୬ଟା ୩୦ ସମୟରେ ଛେଣ୍ଡ କଲୋନୀ ସ୍ଥିତ ରିମ୍ସ୍ ପ୍ରେକ୍ଷାଳୟରେ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତର ଏକ ଅନନ୍ୟ କାର୍ଯ୍ୟକ୍ରମ “ତୁମକୁ ପାରୁନି ତ ଭୁଲି” ଅନୁଷ୍ଠିତ ହେବ ବୋଲି ଆଜି ସହର ସେବା ସମିତି ପକ୍ଷରୁ ହୋଟେଲ ସୋଲାସ୍ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ସହର ସେବା ସମିତିର ପରିଚାଳନା ଟ୍ରଷ୍ଟି ଶୈଳେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟି ପୁଷ୍ପା ଲେଙ୍କା, ଚନ୍ଦ୍ରଶେଖର ପାଢୀ, ସ୍ମୃତିରଞ୍ଜନ ରାଉତ, ଅସିତ୍ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ସମୟ ପ୍ରବାହରେ ଧୀରେ ଧୀରେ ଓଡ଼ିଶାର ସଙ୍ଗୀତପ୍ରେମୀଙ୍କ ମାନସପଟରୁ ବିସ୍ମୃତ ହୋଇ ଯାଉଥିବା ମନଛୁଆଁ ସଙ୍ଗୀତକୁ ମନେ ପକାଇବାର ଏକ ନିଆରା କାର୍ଯ୍ୟକ୍ରମ “ତୁମକୁ ପାରୁନି ତ ଭୁଲି” ସହର ସେବା ସମିତି ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି। ହର ସେବା ସମିତିର ପ୍ରଚ୍ଛନ୍ନ ପୃଷ୍ଠପୋଷକତାରେ ୧୯୩୬ର ପ୍ରଥମ କଳାଧଳା ଓଡ଼ିଆ ଚଳଚିତ୍ର ସୀତା ବିବାହ ଠାରୁ ୧୯୭୬ର ପ୍ରଥମ ରଙ୍ଗୀନ ଓଡିଆ ଚଳଚିତ୍ର ଗପ ହେଲେ ବି ସତ ମଧ୍ୟରୁ ବଛା ବଛା ସଙ୍ଗୀତରେ ଝୁମିବାର ଅବକାଶ, ରାଉରକେଲା ଛେଣ୍ଡ ରିମ୍ସ୍ ପ୍ରେକ୍ଷାଳୟ ପରିସରରେ ମଇ ୨୪ ତାରିଖ ରବିବାର ଦିନ ସନ୍ଧ୍ୟା ୬ଟା ୩୦ ଠାରୁ ସହର ସେବା ସମିତିର ସାଂସ୍କୃତିକ ଶାଖା ମ୍ୟୁଜିକ୍ ଥେରାପି ପକ୍ଷରୁ ଆୟୋଜନ କରାଯାଉଛି ବୋଲି ପ୍ରକାଶ କରିଥିଲେ ପରିଚାଳନା ଟ୍ରଷ୍ଟି ଶୈଳେନ୍ଦ୍ର ମହାନ୍ତି। ସ୍ଥାନୀୟ କଳାକାରଙ୍କ ସମେତ ରାଜ୍ୟର କିଛି ଗାୟକ ଏବଂ ଗାୟୀକା ଏଥିରେ ସଙ୍ଗୀତ ପରିବେଷଣ ଦାୟିତ୍ବ ତୁଲାଇବା କାର୍ଯ୍ୟକ୍ରମ ଅବସରରେ ପୂଜ୍ୟପୂଜା ସହ ଅନ୍ତରଙ୍ଗ ବନ୍ଧୁ ମିଳନର ପରିବେଶ ସୃଷ୍ଟିର ଯୋଜନା ରହିଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି। ଓଡ଼ିଆ ସଙ୍ଗୀତକୁ ଭଲ ପାଉଥିବା ପ୍ରତିଟି ମଣିଷ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇବା ସହ ଓଡ଼ିଆ ଅସ୍ମିତାକୁ ପାଦେ ଆଗେଇ ନେବା ପାଇଁ ଏହା ଏକ ପ୍ରୟାସ । ରାଜ୍ୟର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ରାଉରକେଲାରେ ହେଉଥିବା ଏହି ନିଆରା କାର୍ଯ୍ୟକ୍ରମ ଆଗକୁ ହଜି ଯାଉଥିବା ଓଡ଼ିଆ ସଙ୍ଗୀତ ପ୍ରତି ଏକ ନୂତନ ବିଶ୍ବାସ ସୃଷ୍ଟି କରିବ ବୋଲି ବିଶ୍ବାସ। ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସଙ୍ଗୀତପ୍ରେମୀ ଯୋଗଦେବାକୁ ସହରସେବା ସମିତି ପକ୍ଷରୁ ନିବେଦନ କରାଯାଇଛି।

