ସୁନ୍ଦରଗଡ଼:23//5,(ଉତ୍କଳ ସମାଚାର) ଓଡ଼ିଶାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ତଥା ସୁନ୍ଦରଗଡ଼ ଜିଲ୍ଲା ପ୍ରଭାରୀ ସୁରେଶ ପୂଜାରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କ ଦ୍ଵାରା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟ ତଥା ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ ସଦର ତହସିଲ ପ୍ରାଙ୍ଗଣରେ ଆୟୋଜିତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଦ୍ଵାରା ସଦର ତହସିଲ ଓ ଲେଫ୍ରୀପଡା ତହସିଲ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟାଳୟ ଏବଂ ସରକାରୀ ବାସଗୃହ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିମଧ୍ୟରୁ ନୂତନ ସଦର ତହସିଲ କାର୍ଯ୍ୟାଳୟ, ସଦର ତହସିଲ ଆର. ଆଇ. କାର୍ଯ୍ୟାଳୟ ତଥା ବାସଗୃହ ନିର୍ମାଣ, ମଝାପଡ଼ା ଆର୍ ଆଇ କାର୍ଯ୍ୟାଳୟ ତଥା ବାସଗୃହ, ଭସ୍ମା ଆର୍.ଆଇ କାର୍ଯ୍ୟାଳୟ ତଥା ବାସଗୃହ ନିର୍ମାଣ ଅନ୍ତର୍ଗତ। ସେହିଭଳି ଲେଫ୍ରୀପଡ଼ା ଆର୍.ଆଇ. କାର୍ଯ୍ୟାଳୟ ତଥା ବାସଗୃହ, ଲେଫ୍ରୀପଡ଼ା ତହସିଲ କାର୍ଯ୍ୟାଳୟ, ରାଇଡିହି ଆର୍ ଆଇ କାର୍ଯ୍ୟାଳୟ ତଥା ବାସଗୃହ ଏବଂ ଲେଫ୍ରୀପଡ଼ା ତହସିଲ ଠାରେ ଓସ୍ୱାନ ଭିଡିଓ କନଫରେନ୍ସ ହଲ୍ ନିର୍ମାଣ ଆଦି ରହିଛି। ଏହି ଅବସରରେ ସଦର ତହସିଲର ୨୫ ଜଣ ଏବଂ ଲେଫ୍ରୀପଡ଼ା ତହସିଲ ଅର୍ନ୍ତଗତ ୧୭ ଜଣ ହିତାଧିକାରୀମାନଙ୍କୁ ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କରାଯାଇଥିଲା। ସେହିଭଳି ପାଣିରେ ବୁଡି ମୃତ୍ୟୁବରଣ କରିଥିବା ୨ ଜଣଙ୍କ ନିକଟତର ପରିଜନଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅଭିମନ୍ୟୁ ମାଝୀ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା ଏବଂ ବରିଷ୍ଠ ନେତୃବୃନ୍ଦ, ଅନ୍ୟାନ୍ୟ ଅଧିକାରୀ ଓ ହିତାଧିକାରୀମାନେ ଉପସ୍ଥିତ ଥିଲେ। ପରେ ପରେ ସ୍ଥାନୀୟ ବିକାଶ ଭବନ ଠାରେ ମନ୍ତ୍ରୀଙ୍କ ଦ୍ଵାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ, ରଘୁନାଥପାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲାପାଳ ଡ଼ାକ୍ତର ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସୂରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ବଣାଇ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ସମସ୍ତ ତହସିଲଦାର ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ ଡ଼ାକ୍ତର ମହାପାତ୍ର ଜିଲ୍ଲାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ତଥା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକ ଉପରେ ଆଲୋକପାତ କରିଥିଲେ। ବୈଠକରେ ମନ୍ତ୍ରୀ ବିଭିନ୍ନ ବିଭାଗଗୁଡ଼ିକର କାର୍ଯ୍ୟକଳାପ ଉପରେ ସମୀକ୍ଷା କରି ଜନସାଧାରଣମାନେ ନିଜର କାର୍ଯ୍ୟ ନିମନ୍ତେ ପ୍ରଶାସନ ପାଖକୁ ଆସିବା ପରିବର୍ତ୍ତେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଞ୍ଚି ସମସ୍ତ ସରକାରୀ ସୁବିଧା, ଯୋଜନା,କାର୍ଯ୍ୟକ୍ରମ ଆଦି କିଭଳି ପହଞ୍ଚି ପାରିବ ଏବଂ ସମସ୍ତେ କିଭଳି ଯୋଜନା ଗୁଡିକରେ ସାମିଲ ହୋଇପାରିବେ ତାହା ଉପରେ ପୂଜାରୀ ଗୁରୁତ୍ଵାରୋପ କରିଥିଲେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମୀକ୍ଷା କରିଥିଲେ ଏବଂ ଜବରଦଖଲ ଉଚ୍ଛେଦ, ବାଲିର ଚୋରା ଚାଲାଣ ରୋକିବା ଆଦି ଉପରେ ଆଲୋଚନା କରିଥିଲେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ବିପର୍ଯ୍ୟୟ ପରିଚାଳନାକୁ ଗୁରୁତ୍ଵାରୋପ କରିଥିଲେ ଏବଂ ସମୟ ମଧ୍ୟରେ ଅନୁକମ୍ପା ରାଶି ପ୍ରଦାନ କରାଯିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥି ନିମନ୍ତେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ।ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମି, ଡାକ୍ତର ଏବଂ ଅଣ ଡାକ୍ତରମାନଙ୍କ ସ୍ଥିତି, ଜିଲ୍ଲାରେ ଚାଲୁଥିବା ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେହିଭଳି ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ଏବଂ ୱାଟକୋ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡିକ ଉପରେ ଆଲୋଚନା କରାଯିବା ସହିତ ଜଳ ସମ୍ପଦ ବିଭାଗ, ମେଗା ଉଠା ଜଳସେଚନ, କ୍ଷୁଦ୍ର ଜଳ ସେଚନ ବିଭାଗର ପ୍ରକଳ୍ପ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା। ସେହିପରି ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା କରାଯାଇଥିଲା ଏବଂ ମନ୍ତ୍ରୀ ଶ୍ରୀ ପୂଜାରୀ ଚଳିତ ମାଟ୍ରିକ ପରୀକ୍ଷା ରେଜଲ୍ଟ ଉପରେ ଆଲୋଚନା କରିଥିଲେ ଓ କିଭଳି ଭାବେ ଜିଲ୍ଲାରେ ଭଲ ରେଜଲ୍ଟ ହେବ ସେଥି ନିମନ୍ତେ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ଏବଂ ଶିକ୍ଷା ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ। ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଗୃହ ନିର୍ମାଣ, ସେତୁ ନିର୍ମାଣ, ରାସ୍ତା ନିର୍ମାଣ, ରାସ୍ତା ସଂଯୋଗିକରଣ ଆଦି ଉପରେ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଅଙ୍ଗନୱାଡି ଭିତ୍ତିଭୂମି, ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ବିଦ୍ୟୁତୀକରଣ ଆଦି ଉପରେ ଆଲୋଚନା କରିଥିଲେ ଏବଂ ମା ଓ ଶିଶୁମାନଙ୍କ ବିକାଶ ଉପରେ ଗୁରୁତ୍ଵାରୋପ କରିଥିଲେ। ସେହିଭଳି ଜିଲ୍ଲାରେ ସୁଭଦ୍ରା ଯୋଜନା ଏବଂ ଲକ୍ଷପତି ଦିଦି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଜିଲ୍ଲାରେ କୃଷିର ସ୍ଥିତି, ପିଏମ୍ କିଷାନ୍ , ସିଏମ୍ କିଷାନ୍ ଯୋଜନା ଉପରେ ଆଲୋଚନା କରଯାଇଥିଲା। ସମବାୟ ବିଭାଗ ଅନ୍ତର୍ଗତ ଭିତ୍ତିଭୂମି, ମାର୍କେଟ ୟାର୍ଡ, ପ୍ୟାକସ, ଆର. ଏମ. ସି . , ଶୀତଳଭଣ୍ଡାର, ଦୁଗ୍ଧ ଉତ୍ପାଦନ, ଆଦି ଉପରେ ଆଲୋଚନା କରାଯାଇଥିଲା। ସେହିଭଳି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ବିଭିନ୍ନ ଭିତ୍ତିଭୂମି, ପି. ଏମ୍ ଜନମନ୍, ଡି. ଏ. ଯାଗୁଆ ଆଦି ଉପରେ ଆଲୋଚନା କରାଯାଇଥିଲା। ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ଚାଉଳ ବଣ୍ଟନ, ଗ୍ୟାସ ମହଜୁଦ୍, ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଉପସ୍ଥାପନ କରାଯାଇଥିଲା।

