ରାଉରକେଲା:28//5,(ଉତ୍କଳ ସମାଚାର) ସୋମବାର ଅପରାହ୍ନରେ କାଳବୈଶାଖୀ ଘୂର୍ଣ୍ଣିଝଡ଼ ପ୍ରଭାବରେ ରାଉରକେଲାର ବିଭିନ୍ନ ଅଞ୍ଚଳରେ ଗଛ ଉପୁଡ଼ିବା ସହିତ କେତେକ ସ୍ଥାନରେ ଘର ମଧ୍ଯ ଭାଙ୍ଗି ଯାଇଥିଲା। ଘୂର୍ଣ୍ଣିଝଡ଼ ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରେ ସେକ୍ଟର-୨ ଖରିଆବାହାଲ ବସ୍ତି, ଗଞ୍ଜୁ ବସ୍ତି, କଲ୍ୟାଣ ବସ୍ତି ବଲାଙ୍ଗୀର ବସ୍ତି ଏବଂ ଜି-ବ୍ଲକ ବସ୍ତି ଅନ୍ତର୍ଭୁକ୍ତ ଥିଲା ବେଳେ ଏଥିରେ ମୋଟ ୧୩୮ଟି ଘର ସମ୍ପୂର୍ଣ୍ଣ ଓ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଏବଂ ୯୮ଟି ପରିବାର ପ୍ରଭାବିତ ହୋଇଥିବା ବେଳେ ରାଉରକେଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପଲିଥିନ ପାଲ ଯୋଗାଇ ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଅପରପକ୍ଷରେ ପ୍ରଭାବିତ ବିଭିନ୍ନ ସେକ୍ଟର ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଯୋଗୁଁ ଆଜିପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ଏବଂ ଜଳ ଯୋଗାଣ ବ୍ଯାହତ ହୋଇଛି। ବସ୍ତି ବାସିନ୍ଦାମାନେ ଖାଦ୍ଯ ଓ ପାଣି ଆବଶ୍ୟକ କରୁଥିବା ବେଳେ ରାଉରକେଲା ପ୍ରଶାସନ ତଥା ରାଉରକେଲା ମହାନଗର ନିଗମ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଖାଦ୍ୟ, ପାଣି ଏବଂ ବିଦ୍ୟୁତ ଯୋଗାଣ ଦାବିକରି ଆଜି ରାସ୍ତା ଅବରୋଧ କରିଛନ୍ତି ସେକ୍ଟର-୨ ଖରିଆବାହାଲ ବସ୍ତି ବାସିନ୍ଦା। ସେମାନେ ରାସ୍ତା ଅବରୋଧ କରି ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ, ୪ ଦିନ ହୋଇଗଲାଣି । ବିଦ୍ୟୁତ୍ ଲାଇନ୍ ନାହିଁ, ପାଣି ନାହିଁ, ଖାଦ୍ୟ ନାହିଁ । ସୋମବାର କାଳବୈଶାଖୀ ଝଡ଼ରେ ସବୁ ଧ୍ୱଂସ ହୋଇ ଯାଇଛି। ଲୋକଙ୍କ ଧର୍ଯ୍ୟଚ୍ୟୁତି ଘଟିଛି। ପ୍ରତିବାଦରେ ୧ ନମ୍ବର୍ ସେକ୍ଟରର ଏନ୍ଆଇଟି ରୋଡ ଅବରୋଧ କରିଛନ୍ତି ବସ୍ତି ବାସିନ୍ଦା। ରାସ୍ତା ଅବରୋଧ ଯୋଗୁଁ ବସ୍ ସେବା ବ୍ଯାହତ ହୋଇଛି। ରାଉରକେଲା ପ୍ରଶାସନ ପକ୍ଷରୁ ତୁରନ୍ତ ସେମାନଙ୍କୁ ରିଲିଫ ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି ବସ୍ତି ବାସିନ୍ଦା।

