ରାଉରକେଲା:29//5,(ଉତ୍କଳ ସମାଚାର)ଦ୍ୱାଦଶୀର ପବିତ୍ର ଅବସରରେ ଗୁରୁବାର ୨୮ ମେ’ ଦିନ ଜୟ ଶ୍ରୀ ଶ୍ୟାମ ସେବା ସଂଘ, ରାଉରକେଲା ପକ୍ଷରୁ “ଶ୍ରୀ ଶ୍ୟାମ ପ୍ରଭୁ ଖାଟୁ ବାଲେ”ଙ୍କ ମାସିକ କୀର୍ତ୍ତନ ଭବ୍ୟ ଭାବେ ଆୟୋଜିତ ହୋଇଯାଇଛି। ଏହି ଧାର୍ମିକ ଆୟୋଜନ ହରିୟାଣା ଭବନ ସମ୍ମୁଖରେ ଅବସ୍ଥିତ ବ୍ରାହ୍ମଣୀ ହାଇଟ୍ସ ବିଲ୍ଡିଂ ପରିସରରେ ସମ୍ପନ୍ନ ହୋଇଥିଲା, ଯାହାକୁ ନେଇ ଶ୍ୟାମ ବାବାଙ୍କ ଭବ୍ୟ ଦରବାରକୁ ଫୁଲରେ ସଜାଯାଇଥିଲା। ବାବାଙ୍କ ଅଲୌକିକ ଶୃଙ୍ଗାର କରାଯାଇ ଦିବ୍ୟ ଜ୍ୟୋତି ପ୍ରଜ୍ଜ୍ୱଳିତ କରାଯାଇଥିଲା। ଯଜମାନ ଭାବେ ବିକାଶ ଅଗ୍ରୱାଲ ସପତ୍ନୀକ ପୂଜା ଅର୍ଚ୍ଚନା କରିଥିଲେ। ଏହାପରେ ସନ୍ଧ୍ୟା ୭ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଭଜନ ଶୁଣିବାର ଆନନ୍ଦ ନେଇଥିଲେ।କାର୍ଯ୍ୟକ୍ରମ ଅବସରରେ ଶ୍ରୀ ଶ୍ୟାମ “ଆଓ ମିଲକର ଶ୍ୟାମ ରିଝାଏଁ” (ଆସନ୍ତୁ ମିଶି ଶ୍ୟାମଙ୍କୁ ପ୍ରସନ୍ନ କରିବା) ଥିମ୍ ଉପରେ ଆଧାରିତ ଏହି କୀର୍ତ୍ତନରେ ଟାଟାନଗରର ଅନୁଭବ ଅଗ୍ରୱାଲ, ଧନବାଦର ଅଭିଷେକ ସିଂଘଲ ଏବଂ ଉତ୍ତରାଞ୍ଚଳ ପ୍ରୟାଗରାଜର ବିକ୍ରମ ଚାୱଲା ନିଜର ମଧୁର ଭଜନ ପରିବେଷଣ କରି ସମଗ୍ର ପରିବେଶକୁ ଭକ୍ତିମୟ କରିଦେଇଥିଲେ। ଜୟ ଶ୍ରୀ ଶ୍ୟାମ ସେବା ସଂଘର ମଣ୍ଡଳୀ ମଧ୍ୟ ନିଜ ଭଜନ ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ଝୁମିବାକୁ ବାଧ୍ୟ କରିଥିଲେ।ଏହି କୀର୍ତ୍ତନରେ ରାଉରକେଲାର ମହେଶ ମ୍ୟୁଜିକାଲ୍ ଗ୍ରୁପ୍ ସୁର ଓ ସଙ୍ଗୀତର ମନୋରମ ପ୍ରସ୍ତୁତି କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରାତି ୯:୩୦ଟାରୁ “ଶ୍ରୀ ଶ୍ୟାମ ରସୋଇ”ର ଆୟୋଜନ କରାଯାଇଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ସାମିଲ ହୋଇ ବାବାଙ୍କ ପୂଜା ଅର୍ଚ୍ଚନା କରିଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବାରେ ଆୟୋଜକ ସଂସ୍ଥା ଜୟ ଶ୍ରୀ ଶ୍ୟାମ ସେବା ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଶ୍ୟାମ ଭକ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।


