କେନ୍ଦୁଝର,29//5,(ଉତ୍କଳ ସମାଚାର)ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଵିଶାଲ ସିଂହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜିଲ୍ଲାସ୍ତରର ପ୍ରସ୍ତୁତି ବାବଦରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ, ଏହି ସ୍ୱତନ୍ତ୍ର ସଘନ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଏବଂ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା। ଏହି କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାର ସମସ୍ତ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କରାଯିବ। ଏହି ପ୍ରକ୍ରିୟା ଚାରୋଟି ମୁଖ୍ୟ ପର୍ଯ୍ୟାୟରେ ସମ୍ପନ୍ନ ହେବ: ଘରକୁ ଘର ବୁଲି ପରିଗଣନା, ଚିଠା ଭୋଟର ତାଲିକା ପ୍ରକାଶନ, ଦାବି ଓ ଆପତ୍ତି ଗ୍ରହଣ ସମୟ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସହ ଅପିଲ୍ ଧାର୍ଯ୍ୟ ସୂଚୀ ଅନୁଯାୟୀ, ମେ ୩୦ ରୁ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ସର୍ଭେ କରିବେ। ଏହି ସମୟରେ ସମସ୍ତ ବିଦ୍ୟମାନ ଭୋଟରଙ୍କୁ ଗଣନା ଫର୍ମ ବଣ୍ଟନ କରିବେ ଏବଂ ତାହା ପୂରଣ କରିବାରେ ସାହାଯ୍ୟ କରିବେ। ଭୋଟରମାନେ ସ୍ୱୀକୃତି ସ୍ୱରୂପ ଗୋଟିଏ ନକଲ ନିଜ ପାଖରେ ରଖିବେ ଏହି ପ୍ରକ୍ରିୟା ସମୟରେ ସହଯୋଗ କରିବା ସହ ସଠିକ୍ ସୂଚନା ପ୍ରଦାନ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାର ପରିସଂଖ୍ୟାନ ସମ୍ପର୍କରେ ସୂଚନା ଦେଇ ଯେ, ୦୪-କେନ୍ଦୁଝର ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନରେ କେନ୍ଦୁଝର ଜିଲ୍ଲାର ୬ଟି ବିଧାନସଭା ମଣ୍ଡଳୀ ଏହାର ସମୁଦାୟ ଭୋଟର ସଂଖ୍ୟା ୧୩,୭୨,୬୫୧। ଜିଲ୍ଲାରେ ବର୍ତ୍ତମାନ ୧,୭୨୩ ଟି ପୋଲିଂ ଷ୍ଟେସନ ରହିଛି ଏବଂ ନୂତନ ଭାବେ ୧୯୨ ଟି ପୋଲିଂ ଷ୍ଟେସନ ସୃଷ୍ଟି କରାଯିବା ପରେ ସମୁଦାୟ ପୋଲିଂ ଷ୍ଟେସନ ସଂଖ୍ୟା ୧,୯୧୫ କୁ ବୃଦ୍ଧି ପାଇବ। ସ୍ୱଚ୍ଛ, ନିର୍ଭୁଲ ଏବଂ ସର୍ବସାମୁଖ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି ଏବଂ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି।
