ରାଉରକେଲା ୪/୬,(ଉତ୍କଳ ସମାଚାର) ଗରମରୁ ତ୍ରାହୀ ପାଇବା ପାଇଁ ନଡ଼ିଆ ପାଣି ଏବଂ ଆଖୁ ରସ ବିକ୍ରି ଜୋରସୋରରେ ଚାଲିଛି। ଆଜି ରାଉରକେଲା ସହରର ତାପମାତ୍ରା ୪୦ ଡିଗ୍ରୀ ଥିଲାବେଳେ ସମଗ୍ର ଓଡ଼ିଶା ତଥା ସୁନ୍ଦରଗଡ଼ ଜିଲ୍ଲା ଗରମ ଏବଂ ଗୁଳଗୁଳି ଯୋଗୁଁ ଲୋକମାନେ ହଇରାଣ ହେଉଛନ୍ତି। ପ୍ରଚଣ୍ଡ ଖରାରୁ ମୁକ୍ତି ପାଇବା ପାଇଁ ଲୋକମାନେ ନଡ଼ିଆ ପାଣି, ଆଖୁ ରସ, କଞ୍ଚା ଆମ୍ବ ପାଣି, ଲସି, ବଟରମିଲ୍କ, ଥଣ୍ଡା ପାନୀୟ, ସାଟୁ ପାଣି ଏବଂ ଲେମ୍ବୁ ପାଣି ପିଉଥିବାର ଦେଖାଯାଉଛି। ଆଜି ଦିନ ୧୨ଟା ପରେ ସହରର ମୁଖ୍ୟ ରାସ୍ତା ଏବଂ ରିଙ୍ଗ ରୋଡଗୁଡ଼ିକ ଶୁନଶାନ ହୋଇପଡ଼ିଥିଲା। ଲୋକମାନେ କେବଳ ଜରୁରୀ କାମ ପାଇଁ ଘରୁ ଏବଂ ଦୋକାନରୁ ବାହାରକୁ ଆସୁଥିବାର ଦେଖାଯାଇଥିଲା। ରାଉରକେଲା ସହରର ତାପମାତ୍ରା ପ୍ରାୟ ୪୩ ଡିଗ୍ରୀ ରହିବା ଆକଳନ କରାଯାଇଥିଲା, ଯାହା ଫଳରେ ଲୋକମାନେ ପ୍ରଚଣ୍ଡ ଖରାରୁ ମୁକ୍ତି ପାଇବା ପାଇଁ ଛତା, ଟୋପି ଏବଂ ଚଷମା ପିନ୍ଧି ରାସ୍ତାରେ ଯାଉଥିବାର ଦେଖାଯାଇଥିଲା। ଗରମ ଯୋଗୁଁ ସମଗ୍ର ଜୀବନ ପ୍ରଭାବିତ ହୋଇଥିଲା। ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ପ୍ରଚଣ୍ଡ ଖରାକୁ ନ ଯିବାପାଇଁ ଅନୁରୋଧ କରାଯାଇଛି। ବିଶେଷକରି ବୃଦ୍ଧ ଏବଂ ପିଲାମାନଙ୍କୁ ଖରାରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ରାଉରକେଲାର ସରକାରୀ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ, ପ୍ରଚଣ୍ଡ ଖରା ଏବଂ ଗୁଳଗୁଳିରୁ ମୁକ୍ତି ପାଇବା ପାଇଁ ଲୋକମାନଙ୍କୁ ମାଗଣାରେ ଓଆରଏସ୍ (ORS) ଦ୍ରବଣ ବଣ୍ଟନ କରାଯାଉଛି।

