ରାଉରକେଲା ୬/୬,(ଉତ୍କଳ ସମାଚାର) ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସ୍ଥାନୀୟ ଟିପର ଓ ହାଇଓ୍ବା ଗାଡିକୁ ମାଲ ପରିବହନ ପାଇଁ ଅନୁମତି ନଦେଇ, ବାହାରର ଗାଡିଙ୍କୁ ଏ କ୍ଷେତ୍ରରେ ବିନିଯୋଗ କରାଯାଉଥିବା ଯୋଗୁଁ, ରାଉରକେଲା ସହରର ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନର ପ୍ରାୟ ୨୦୦ ଗାଡି ପରିବହନ କାର୍ଯ୍ଯ ନପାଇ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଆଜି ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି। ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ଯେ, ଦୀର୍ଘ ଦୁଇମାସ ଧରି ରାଉରକେଲା ଇସ୍ପାତ କାରଖାନା ସହିତ ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନ ପକ୍ଷରୁ ଏ ନେଇ ତିନି ତିନି ଥର ଆଲୋଚନା କରାଯାଇଥିଲେ ମଧ୍ୟ ସମସ୍ତ ଆଲୋଚନା ବିଫଳ ହୋଇଛି। ତେଣୁ ସେମାନେ (ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନ) ବାଧ୍ୟ ହୋଇ ଜୁନ୍ ୮ ତାରିଖ ସୋମବାର ଦିନ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚେତାବନୀ ଦେଇଛନ୍ତି। ଏହି ଧର୍ମଘଟ ସମୟରେ ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନର କର୍ମକର୍ତ୍ତା ଓ ସଦସ୍ୟମାନେ ରାଉରକେଲା ଇସ୍ପାତ କାରଖାନାକୁ ଦେଓଗାଁ ପ୍ରବେଶ ପଥରେ ପ୍ରବେଶ କରୁଥିବା ବାହାରର ଟିପ୍ପର ଓ ହାଇଓ୍ବା ଗାଡିକୁ ରୋକିବା ସହିତ ସେଠାରୁ “ରାଖଡ”(BOAP) ପରିବହନ କରୁଥିବା ବାହାରର ସମସ୍ତ ଗାଡିକୁ ଅଟକାଇବେ ବୋଲି ଚେତାବନୀ ଦେଇଛନ୍ତି। ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନ ପକ୍ଷରୁ ଆହୂତ ଆଜିର ସାମ୍ବାଦିକ ସମ୍ମିଳନୀରେ ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନର ସଭାପତି ଅଶୋକ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଅବନୀ ରଞ୍ଜନ ଷଢଙ୍ଗୀ, ଉପସଭାପତି ଦେବ ପ୍ରସାଦ ମିଶ୍ର, ସହ-ସମ୍ପାଦକ ଅଜିତ୍ ଛୋଟରାୟ, ସହ-ସମ୍ପାଦକ ସୌମ୍ୟରଞ୍ଜନ ନାୟକ, କୋଷାଧ୍ୟକ୍ଷ ବ୍ରଜକିଶୋର ସାମଲଙ୍କ ସମେତ RNPTOAର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

