ରାଉରକେଲା ୧୧/୬,(ଉତ୍କଳ ସମାଚାର) ଆଜି ବିର୍ସାଛକ ଠାରେ ଗାଙ୍ଗପୁର ମଜଦୁର ମଞ୍ଚ ପକ୍ଷରୁ ୧୧ ଦଫା ଦାବି ନେଇ ଆନ୍ଦୋଳନ କରାଯିବା ସହ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ କରାଯାଉଥିବା ଅନ୍ଯାୟ ବିରୋଧରେ ପ୍ରଦର୍ଶନ କରାଯାଇଥିଲା।ଇସ୍ପାତ କାରଖାନାରେ କାର୍ଯ୍ୟରତ ସ୍ଥାୟୀ, ଅସ୍ଥାୟୀ ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ମନରେ ଏବେ ଭୟ ଏବଂ ଅନିଶ୍ଚିତତା ଭରି ରହିଛି। ତାର କାରଣ ହେଉଛି ଗତ କିଛି ଦିନ ମଧ୍ୟରେ ଆରଏସପି (RSP) କର୍ତ୍ତୃପକ୍ଷ ଏବଂ ଇସ୍ପାତ ମନ୍ତ୍ରଣାଳୟ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ପାଇଁ। ଲମ୍ବିତ ବକେୟା, ଆବାସ ନୀତି ଏବଂ ଚାକିରି ସୁରକ୍ଷା ଉପରେ ନିଆଯାଇଥିବା ନିଷ୍ପରି ପାଇଁ ଶ୍ରମିକ ଓ କର୍ମଚାରୀମାନଙ୍କ ମନରେ ଭୟ ଏବଂ ଆଶଙ୍କା ସୃଷ୍ଟି ହୋଇଛି Iଯେପରିକି ଶ୍ରମିକମାନଙ୍କ ୩୯ ମାସର ବକେୟା ଆରଏସପି ପକ୍ଷରୁ ପ୍ରଦାନ କରାନଯିବା, ଅବସରପ୍ରାପ୍ତ କର୍ମଚାରୀମାନେ ତାଙ୍କର ଜୀବନସଞ୍ଚିତ ଅର୍ଥରେ ଲାଇସେନ୍ସରେ ପାଇଥିବା ପୁରୁଣା ଦଦରା ଘରକୁ ବାସପଯୋଗୀ କରିଥିବା ଘରକୁ ଭାଙ୍ଗିବା ପାଇଁ ଆରଏସପି ପକ୍ଷରୁ ନୋଟିସ ଦିଆଯିବା, ୩୫ ଜଣ କର୍ମଚାରୀଙ୍କୁ ଟାଇନସିପରୁ ପ୍ଲାଣ୍ଟ ଭିତରକୁ ଏକତରଫା ଏବଂ ଆବଶ୍ଯକ ଅନୁସାରେ ଚୟନ (pick and choose) କରିବା ପଦ୍ଧତିରେ ସ୍ଥାନାନ୍ତରିତ କରିବା ଭଳି ଶ୍ରମିକ ବିରୋଧୀ ଏବଂ ଅମାନବୀୟ ନିଷ୍ପତ୍ତି ପାଇଁ ରାଉରକେଲା ସହରରେ ଭୟ ଏବଂ ଆତଙ୍କ ବାତାବରଣ ସୃଷ୍ଟି ହୋଇଛି।ତେଣୁ ଗାଙ୍ଗପୁର ମଜଦୂର ମଞ୍ଚ ପକ୍ଷରୁ ବିର୍ସା ଛକ ତଥା ରାଉରକେଲା ଇସ୍ପାତ କାରଖାନା ସମ୍ମୁଖରେ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଛି ବୋଲି କହିଥିଲେ ମଜଦୁର ମଞ୍ଚର କର୍ମକର୍ତ୍ତାମାନେ।ଗାଙ୍ଗପୁର ମଜଦୂର ମଞ୍ଚ ପକ୍ଷରୁ ଏହି ଗଣ ବିକ୍ଷୋଭରେ ଏହି ୧୧ ଦଫା ଦାବିକୁ ଉପସ୍ଥାପିତ କରାଯାଇଥିଲା। ସେଗୁଡିକ ହେଲା ୩୯ ମାସର ଲମ୍ବିତ ବକେୟାକୁ ପ୍ରଦାନ କରାଯିବା, ଗ୍ରାଚୁଇଟି ସୀମା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା, ବୋନସ୍ ସୀମା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା, ଠିକା ଶ୍ରମିକମାନଙ୍କୁ କେନ୍ଦ୍ରୀୟ ନ୍ୟୁନତମ ମଜୁରୀକୁ ଲାଗୁ କରିବା। ଏଥିସହିତ ଚାକିରିର ସୁରକ୍ଷା ପାଇଁ ଶ୍ରମିକ ବିରୋଧୀ ଲେବର କୋର୍ଡ (Labour Codes)କୁ ପ୍ରତ୍ୟାହାର କରିବା, ମନମୁଖୀ ଓ ଅଯୌକ୍ତିକ ବଦଳି ତୁରନ୍ତ ବନ୍ଦ କରିବା, ଇସ୍ପାତ କାରଖାନାର ଘରୋଇକରଣର ଷଡଯନ୍ତ୍ର ବନ୍ଦ କରିବା, ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ ଚାକିରୀ ଦେବା। ଆବାସର ସୁରକ୍ଷା ପାଇଁ କ୍ୱାର୍ଟର୍ସ ରଖିବା ପାଇଁ ପୁରୁଣା ନୀତି ପୂର୍ବଭଳି ଜାରି ରଖାଯିବା ପାଇଁ ଦାବି କରାଯାଇଛି, ଲାଇସେନ୍ସଧାରୀ କ୍ୱାର୍ଟର୍ସ ଖାଲି କରିବା ନୋଟିସକୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଛି। କ୍ବାର୍ଟର ଲିଜଧାରୀ ତଥା ପୂର୍ବ କର୍ମଚାରୀଙ୍କୁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଧମକ ଦେବା ବନ୍ଦ କରାଯିବାକୁ ଦାବି କରାଯାଇଛି।ଗାଙ୍ଗପୁର ମଜଦୁର ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଏହା କୌଣସି ଗୋଟିଏ ବ୍ୟକ୍ତିର ଲଢେଇ ନୁହେଁ, ଏହା ଆମ ସମସ୍ତଙ୍କ ଅସ୍ତିତ୍ବର ଲଢେଇ। ଆଜି ଯଦି ଆମେ ଏକାଠି ନହେବା, ତେବେ କାଲି ଆମ ହକ୍ କେହି ଫେରାଇ ଦେବେ ନାହିଁ ବୋଲି ବିର୍ସା ଛକରେ ଆନ୍ଦୋଳନରେ ଆହ୍ବାନ ଦିଆଯାଇଛି।ଗାଙ୍ଗପୁର ମଜଦୁର ମଞ୍ଚ ପକ୍ଷରୁ ଏହି ଆନ୍ଦୋଳନ ସଭାପତି ତଥା ବିଧାୟକ ରୋହିତ ତିର୍କୀ, ସାଧାରଣ ସମ୍ପାଦକ ଗୋପାଳ ଦାସଙ୍କ ନେତୃତ୍ବରେ ନେଇଥିଲେ।

