ସମ୍ବଲପୁର,୧୮/୦୬(ଉତ୍କଳ ସମାଚାର),(ସରୋଜ ସାହୁ):୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଅନେକ ବଡ଼ ବଡ଼ ଘୋଷଣା କରାଯାଇଥିଲା। ମାତ୍ର ସରକାରକୁ ଆସିବାର ଦୁଇ ବର୍ଷ ପରେ ମଧ୍ୟ ସେହି ପ୍ରତିଶ୍ରୁତି ଗୁଡ଼ିକ କାଗଜପତ୍ର ଓ ଭାଷଣ ମଧ୍ୟରେ ସୀମିତ ରହିଯାଇଛି। ପଶ୍ଚିମ ଓଡ଼ିଶାର ଦୀର୍ଘ ଦିନର ଦାବି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଆଜି ପର୍ଯ୍ୟନ୍ତ କୌଣସି ଦୃଶ୍ୟମାନ ଅଗ୍ରଗତି ହୋଇନାହିଁ। ସେହିପରି ପଶ୍ଚିମ ଓଡ଼ିଶାରେ AIIMS ପ୍ରତିଷ୍ଠା, WODCର ମୁଖ୍ୟ କାର୍ଯ୍ୟାଳୟକୁ ଭୁବନେଶ୍ୱରରୁ ସମ୍ବଲପୁରକୁ ସ୍ଥାନାନ୍ତର, କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ନୀରବତା ଚିନ୍ତାଜନକ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମଧ୍ୟ ବିଜେପି ସରକାର ଜନସାଧାରଣଙ୍କ ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି। ବିରୋଧୀ ଦଳରେ ଥିବା ସମୟରେ ମହାନଦୀ ପ୍ରସଙ୍ଗକୁ ନେଇ ବିଜେପି ବହୁତ ଆନ୍ଦୋଳନ ଓ ରାଜନୀତି କରିଥିଲା। କିନ୍ତୁ ଆଜି କେନ୍ଦ୍ର, ଓଡ଼ିଶା ଏବଂ ଛତିଶଗଡ଼ରେ ବିଜେପି ର ଟ୍ରିପଲ୍ ଇଞ୍ଜିନ ସରକାର ଥିବା ସତ୍ତ୍ୱେ ମଧ୍ୟ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦେଖିବାକୁ ମିଳୁନାହିଁ। ଏହା ପ୍ରମାଣ କରୁଛି ଯେ ମହାନଦୀ ପ୍ରସଙ୍ଗ ବିଜେପି ପାଇଁ କେବଳ ଏକ ନିର୍ବାଚନୀ ସ୍ଲୋଗାନ ଥିଲା, ଜନସ୍ୱାର୍ଥର ପ୍ରସଙ୍ଗ ନୁହେଁ।ପଶ୍ଚିମ ଓଡ଼ିଶା ବାସୀଙ୍କ ପରିଚୟ ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ଦେବା ପ୍ରସଙ୍ଗରେ ବିଗତ ବିଜେଡି ସରକାର୍ ସମୟରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। କିନ୍ତୁ ପରିତାପର ବିଷୟ ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ପ୍ରଦାନ ନେଇ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସାଂସ୍କୃତିକ ଅସ୍ମିତା ସହ ଜଡିତ ଏହି ଦୀର୍ଘଦିନର ଦାବି ପ୍ରତି ସରକାରଙ୍କ ଆଭିମୁଖ୍ୟ ନିରାଶାଜନକ।ପଶ୍ଚିମ ଓଡ଼ିଶା ରାଜ୍ୟର କୃଷି, ଶିଳ୍ପ, ଖଣିଜ ଓ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଅପରିମିତ ଅବଦାନ ରଖିଆସୁଛି। ତଥାପି ଏହି ଅଞ୍ଚଳର ଯୁବକମାନେ ଚାକିରି ଅଭାବରୁ ବାହାର ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ ଓ ଶିଳ୍ପାୟନ କ୍ଷେତ୍ରରେ ଆଶାନୁରୂପ ଉନ୍ନତି ଦେଖିବାକୁ ମିଳୁନାହିଁ।ମୁଖ୍ୟମନ୍ତ୍ରୀ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ଧାନ ଦର ବୃଦ୍ଧି କରିବା ତାଙ୍କର ବଡ଼ ଉପଲବ୍ଧି ବୋଲି କହିଥିଲେ l ଚାଷୀ ଆତ୍ମହତ୍ୟା ହେଉ ନାହିଁ ବୋଲି କହିଥିବା ବେଳେ ଚାଷୀ ନିଜ ଧାନ ବିକିବା ପାଇଁ ଆନ୍ଦୋଳନକୁ ଓହ୍ଲାଉଥିବା, ଧାନ ବିକ୍ରି କରି ନ ପାରି ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିବା କଥା ଭୁଲି ଯାଇଛନ୍ତି ଏହି ସରକାର। ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବା ପୂର୍ବରୁ ସରକାରଙ୍କୁ ନିଜ କାର୍ଯ୍ୟଦକ୍ଷତାର ହିସାବ ଜନତାଙ୍କୁ ଦେବା ଆବଶ୍ୟକ। ବିଜ୍ଞାପନ ଓ ପ୍ରଚାର ନୁହେଁ, ବରଂ ପ୍ରତିଶ୍ରୁତି ପାଳନ ଓ ଜନସାଧାରଣଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ହିଁ ଏକ ସରକାରର ପ୍ରକୃତ ସଫଳତାର ମାପକାଠି ବିଜେଡି ଜ଼ିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଏକ ପ୍ରେସ ବିବୃତି ମାଧ୍ୟମ ପ୍ରକାଶ କରିଛନ୍ତି

