ନରସିଂବାଘ:18//6,(ଉତ୍କଳ ସମାଚାର) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ସମଗ୍ର ଅଞ୍ଚଳକୁ ନଡ଼କି ଦେଇଛି। ବାପା ଛେଉଣ୍ଡ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ଅଭିଯୁକ୍ତ ମୃତଦେହକୁ ଘର ବାରିପଟେ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଶୋକ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି।ମୃତକା ଚନ୍ଦ୍ରା ଭତରା ବୋଲି ଚିହ୍ନଟ ହୋଇଛନ୍ତି। ସେ ଫୁଲସିଂ ଭତରାଙ୍କ ଭଉଣୀ ଓ ପୂର୍ବରୁ ତାଙ୍କ ବାପାଙ୍କୁ ହରାଇଥିବା ଜଣେ ଅସହାୟ ଯୁବତୀ ଥିଲେ। ପହିଲି ରଜର ଖୁସିର ଦିନରେ ଏହି ଦୁଃଖଦ ଘଟଣା ଘଟିଥିବାରୁ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।ସୂଚନା ଅନୁଯାୟୀ, ଗତକାଲି ରାତିରେ ଚନ୍ଦ୍ରା ସାଙ୍ଗମାନଙ୍କ ସହ ରଜ ଖେଳିବାକୁ ଯାଇଥିଲେ। ରାତି ପ୍ରାୟ ୯ଟା ସମୟରେ ସେ ଗାଁ ମୁଣ୍ଡରେ ହୋଇଥିବା ରଜଦୋଳି ଝୁଲିବାକୁ ଯାଇଥିଲେ, କିନ୍ତୁ ମଝିରେ କାହାକୁ କିଛି ନକହି ଏକା ଚାଲିଯାଇଥିବା କଥା ତାଙ୍କ ସାଙ୍ଗ କହିଛନ୍ତି। ପରେ ସକାଳେ ଘର ବାରିପଟେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ଭାଇ ପ୍ରଥମେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ।ମୃତଦେହରେ ଆଘାତର ଚିହ୍ନ ଥିବା ଓ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ସନ୍ଦେହ ଜଣାପଡ଼ିଥିବାରୁ ଗ୍ରାମବାସୀ ଅତ୍ୟନ୍ତ କ୍ରୋଧିତ ହୋଇପଡ଼ିଛନ୍ତି। ପୋଲିସ ଖବର ପାଇ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୈଜ୍ଞାନିକ ଟିମ୍ ମଧ୍ୟ ପ୍ରମାଣ ସଂଗ୍ରହ ପାଇଁ ପହଞ୍ଚିବାକୁ ଥିବା ସୂଚନା ମିଳିଛି।ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ନବରଙ୍ଗପୁର ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ନଜରରେ ରଖିଛନ୍ତି। ପ୍ରାଥମିକ ତଦନ୍ତ ଜାରି ରହିଥିବା ସହ ଶବ ବ୍ୟବଛେଦ ରିପୋର୍ଟ ପରେ ଘଟଣାର ସତ୍ୟତା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରି କଠୋର ଶାସ୍ତି ଦେବାକୁ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଦୋଷୀ ଧରାପଡ଼ିବା ପର୍ଯ୍ୟନ୍ତ ଶବ ଦାହ ସଂସ୍କାର ନକରିବାକୁ ପରିବାର ପକ୍ଷରୁ ଅଡ଼ି ରହିଥିବା ସୂଚନା ମିଳିଛି।ରଜ ପର୍ବର ଆନନ୍ଦ ମଧ୍ୟରେ ଘଟିଥିବା ଏହି ନୃଶଂସ ଘଟଣା ସମଗ୍ର ଜିଲ୍ଲାକୁ ମର୍ମାହତ କରିଦେଇଛି।
