ରାଉରକେଲା ୧୯/୬,(ଉତ୍କଳ ସମାଚାର) ବିଶ୍ବ ବାଇସାଇକେଲ ଦିବସ ପାଳନ ଅବସରରେ ଖେଲୋ ଇଣ୍ଡିଆ ଅନ୍ତର୍ଗତ ଆଜି ରାଉରକେଲାର ସେକ୍ଟର-୧୩ ମେଳନ ପଡିଆରେ ସହର ଓ ଜିଲ୍ଲା ସ୍ତରୀୟ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ ଅସ୍ମିତା ସାଇକେଲିଂ ଲିଗରେ ବିଭିନ୍ନ ସଂଗଠନର ମହିଳା ସଦସ୍ୟଙ୍କ ସହ ସ୍କୁଲ ଓ କଲେଜର ଯୁବତୀମାନେ ଅଂଶଗ୍ରହଣ କରିବା ସହିତ ସାଇକେଲିଂ ଲିଗରେ ଭାଗ ନେଇଥିଲେ। ଅସ୍ମିତା ସାଇକେଲିଂ ଲିଗ୍ ପ୍ରାରମ୍ଭରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ସେକ୍ଟର-୧୩ ମେଳନ ପଡିଆରୁ ସବୁଜ ପତାକା ଦେଖାଇ ସାଇକେଲିଂର ଶୁଭାରମ୍ଭ କରାଯାଇଥିଲା। ପ୍ରତିଯୋଗୀମାନେ ଶୁଭାରମ୍ଭ ସ୍ଥଳ ସେକ୍ଟର-୧୩ ମେଳନ ପଡିଆରୁ ବାହାରି ରିଂ-ରୋଡର ୭/୧୭ ଛକ ପର୍ଯ୍ୟନ୍ତ ଯାଇ ପୁଣି ସେକ୍ଟର-୧୩ ମେଳନ ପଡିଆକୁ ପ୍ରତ୍ଯାବର୍ତ୍ତନ କରିଥିଲେ। ଅର୍ଥାତ୍ ସେମାନଙ୍କୁ ୫ କିଲୋମିଟର ପର୍ଯ୍ଯନ୍ତ ସାଇକେଲିଂ କରିବାକୁ ପଡିଥିଲା।ଭାରତ ସରକାରଙ୍କ ଯୁବ ଓ ସ୍ପୋର୍ଟସ ମନ୍ତ୍ରାଳୟ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ, ଫିଟ୍ ଇଣ୍ଡିଆ, ସିଏଫ୍ଆଇ ଏବଂ ଓଡିଶା ସାଇକେଲିଂ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଆଜିର ବିଶ୍ବ ବାଇସାଇକେଲ ଦିବସରେ ଅସ୍ମିତା ସାଇକେଲିଂ ଲିଗରେ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

