କେନ୍ଦୁଝର:21//6,(ଉତ୍କଳ ସମାଚାର) (ଏ ଆର ଖାନ ) ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ ଶଙ୍କରପୁରସ୍ଥିତ ଧରଣୀଧର କ୍ରୀଡ଼ା ପରିସର ଠାରେ ଜିଲ୍ଲା କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଅନନ୍ୟ ଭାରତୀୟ ପରମ୍ପରା ଯୋଗକୁ ବିଶ୍ୱ ଦରବାରରେ ବିଦିତ କରି ଆନ୍ତର୍ଜାତିକ ସ୍ତରରେ ଏହାର ପ୍ରଚାର ପ୍ରସାର କରିଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭିଡିଓ କନଫରେନସିଂ ମାଧ୍ୟମରେ କୋଲକାତାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନର ସିଧାପ୍ରସାରଣକୁ ପ୍ରଦର୍ଶିତ କରାଯାଇଥିଲା। ଏହି ସାମୁହିକ ଯୋଗାଭ୍ୟାସରେ ମାନ୍ୟବର ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ଵିଶାଲ ସିଂହ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡ଼ା, ଅଭିଳାଷ ପୁରୋହିତଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ପ୍ରାୟ ୧ ହଜାର ଜନସାଧାରଣ ଯୋଗାଭ୍ୟାସ କରିଥିଲେ। ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବା ପାଇଁ ଏକ ଶପଥପାଠ ଆୟୋଜିତ କରାଯାଇଥିଲା। ପରିଶେଷରେ ଯୋଗ ଦିବସ ପରିପ୍ରେକ୍ଷୀରେ ବିଦ୍ୟାଳୟସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ ଏବଂ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ,ବ୍ଯବସାୟିକ ପ୍ରତିଷ୍ଠାନ ,କର୍ପୋରେଟ ସଂସ୍ଥା ,ସରକାରୀ ଦପ୍ତର ,ଏନସିସି , ରେଡକ୍ରସ ,ସାଧାରଣ ନାଗରିକ ମାନେ ବହୁଳ ଭାବେ ଆଗ୍ରହର ସହିତ ବିଭିନ୍ନ ପଡିଆ , ଅଡିଟରୀୟମ ,ମାନକରେ ଯୋଗାଭ୍ୟସ ସହିତ ଦିବସ ପାଳନ କରିଥିଲେ

