କେନ୍ଦୁଝର,21//6,(ଉତ୍କଳ ସମାଚାର) ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଏବଂ ଆଗାମୀ ଖରିଫ-୨୦୨୬ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରି କ୍ଷେତ୍ରସ୍ତରରେ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ଏବଂ ଧାନ ନର୍ସରୀ ପ୍ରସ୍ତୁତି ଓ ରୁଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଲ୍ ନିନୋ ଜନିତ ଅସ୍ୱାଭାବିକ ମୌସୁମୀ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି କେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ସେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ପ୍ରସ୍ତୁତିର ମଧ୍ୟ ସେ ସମୀକ୍ଷା କରିଥିଲେ।ସୁଚିନ୍ତିତ ଯୋଜନା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ସିଂହଦେଓ କୃଷି ବିଭାଗର ଅଧିକାରୀମାନଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଏବଂ ‘ଜିଲ୍ଲା କୃଷି ଆପଦକାଳୀନ ଯୋଜନା’ କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଚାଷ ସମୟରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମୟୋଚିତ ପରାମର୍ଶ, କୃଷି ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ଏବଂ କ୍ଷେତ୍ରସ୍ତରୀୟ ସ୍ଥିତିର ନିରନ୍ତର ତଦାରଖ ଅତ୍ୟନ୍ତ ଜରୁରୀ। ଜିଲ୍ଲାରେ ଆଦର୍ଶ କୃଷି କ୍ଷେତ୍ର ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମି ପରିଦର୍ଶନ କରିଥିଲେ। ଏହି ପ୍ରସ୍ତାବିତ ମଡେଲ ଫାର୍ମଗୁଡ଼ିକ କୃଷି ପ୍ରଦର୍ଶନ, ଗବେଷଣା, ପ୍ରଯୁକ୍ତିବିଦ୍ୟାର ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଉନ୍ନତ ଚାଷ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ତେଲକୋଇର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଡ. ଫକୀର ମୋହନ ନାଏକ ଏବଂ ପାଟଣାର ବିଧାୟକ ଅଖିଳ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଏହି ଗସ୍ତରେ ସାମିଲ ହୋଇଥିଲେ

