ନବରଙ୍ଗପୁର ନରସିଂବାଘ 29/06,(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଚୋଡ଼ା ଦରରେ ସାର ବିକ୍ରି ହେଉଥିବାକୁ ନେଇ ଆଜି କୃଷକମାନଙ୍କ ତିବ୍ର ପ୍ରତିବାଦ ଦେଖିବାକୁ ମିଳିଛି। ବ୍ଲକ ସଦର ମହାକୁମାରେ କୃଷକମାନେ ଏକତ୍ରିତ ହୋଇ ଚାରିଦଫା ଦାବି ନେଇ କୃଷି କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି।ଚାଷୀ ସଂଗଠନର ନେତା ସଂରଜ ଗଣ୍ଡଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ବହୁ ସଂଖ୍ୟକ କୃଷକ ଅଂଶଗ୍ରହଣ କରିଥିଲେ। କୃଷକମାନଙ୍କ ଅଭିଯୋଗ ଅନୁଯାୟୀ, କେତେକ ବ୍ୟବସାୟୀ ସାରକୁ ଚୋଡ଼ା ଦରରେ ବିକ୍ରି କରୁଥିବାରୁ ସାଧାରଣ ଚାଷୀମାନେ ଗୁରୁତର ସମସ୍ୟାରେ ପଡ଼ୁଛନ୍ତି।ଦାବିପତ୍ରରେ କୃଷକମାନେ ଚୋଡ଼ା ଦରରେ ସାର ବିକ୍ରି କରୁଥିବା ଲାଇସେନ୍ସଧାରୀ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରିବା ସହ ୟୁରିଆ ସାରକୁ ସରକାର ନିର୍ଦ୍ଧାରିତ ଦରରେ ସମୟମାନ୍ୟ ଯୋଗାଣ କରିବାକୁ ଦାବି କରିଛନ୍ତି। ଏଥିସହ ଦଲାଳମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେମାନେ ଦାବି ଉଠାଇଛନ୍ତି।କୃଷକମାନେ ସଚେତନ କରିଛନ୍ତି ଯେ, ଯଦି ଆଗାମୀ ଦିନରେ ସାର ସଠିକ ମୂଲ୍ୟରେ ଯୋଗାଣ ହେବ ନାହିଁ, ତେବେ ସେମାନେ ରାଜରାସ୍ତାକୁ ଅବରୋଧ କରି ତିବ୍ର ଆନ୍ଦୋଳନକୁ ଅଧିକ ଜୋରଦାର କରିବେ।

