ସମ୍ବଲପୁର,୩୦/୦୬(ଉତ୍କଳ ସମାଚାର),(ସରୋଜ ସାହୁ):ଆୟ ବହିର୍ଭୂତ ସମ୍ପତ୍ତି ଠୂଲ ଅଭିଯୋଗରେ ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ର ୨ ଜଣ ବରିଷ୍ଠ କର୍ମଚାରୀଙ୍କ ଘରେ ମଙ୍ଗଳବାର ସକାଳୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି I ଭିମସାରର ଏଷ୍ଟାବ୍ଲିଶମେଣ୍ଟ ଅଫିସର-କମ୍-ଅଫିସ ସୁପରିଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳ ଏବଂ ସୁପରିଟେଣ୍ଡେଣ୍ଟ କାର୍ଯ୍ୟାଳୟର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ସମ୍ପତ୍ତିର ଯାଞ୍ଚ ପାଇଁ ଭିଜିଲାନ୍ସ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସମ୍ବଲପୁର ବିଶେଷ ଭିଜିଲାନ୍ସ ଅଦାଲତଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ୨ ପ୍ରଭାବଶାଳୀ କର୍ମଚାରୀଙ୍କ ମୋଟ ୯ଟି ସ୍ଥାନରେ ଖାନତଲାସୀ ଜାରି ରହିଛି। ଭିମସାରର ଏଷ୍ଟାବ୍ଲିଶମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଭିଜିଲାନ୍ସର ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ୩ ଜଣ ଏଏସଆଇଙ୍କ ନେତୃତ୍ୱରେ ଗଠିତ ଟିମ୍ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଚଢ଼ଉ ଚଳାଇଛନ୍ତି।ସମ୍ବଲପୁର ଧନକଉଡ଼ା ସ୍ଥିତ ଶ୍ରୀ ବିଶ୍ୱାଳଙ୍କ ଦୁଇ ମହଲା ଆବାସିକ ଭବନ, ଗୁଡ଼େସିଙ୍ଗା ସ୍ଥିତ ଏକ କୋଠାବାଡ଼ି, ବୁର୍ଲା ଭିମସାର ମେଡିକାଲ ଷ୍ଟାଫ୍ କଲୋନୀରେ ଥିବା ସରକାରୀ ବାସଭବନ, ବୁର୍ଲା ଭିମସାର ସୁପରିଟେଣ୍ଡେଣ୍ଟ କାର୍ଯ୍ୟାଳୟରେ ଥିବା ତାଙ୍କର ସରକାରୀ ଚାମ୍ବରରେ ଚଢ଼ଉ ଚାଲିଛି I ସେହିପରି ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ୫ଟି ସ୍ଥାନରେ ଖାନତଲାସୀ ଚାଲିଛି I ଭିମସାର ସୁପରିଟେଣ୍ଡେଣ୍ଟ କାର୍ଯ୍ୟାଳୟର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ମଧ୍ୟ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗ ହୋଇଛି। ଏହି କାର୍ଯ୍ୟାନୁଷ୍ଠାନ ପାଇଁ ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ୩ ଜଣ ଏଏସଆଇଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ୫ଟି ସ୍ଥାନରେ ଏକ ସମୟରେ ଚଢ଼ଉ କରୁଛନ୍ତି।ବୁର୍ଲା ମେଡିକାଲ ଷ୍ଟାଫ୍ କଲୋନୀସ୍ଥିତ ତାଙ୍କର ସରକାରୀ କ୍ୱାଟର, ବୁର୍ଲା ସୌରଭ ବିହାରଠାରେ ଥିବା ଏକ ନିର୍ମାଣାଧୀନ ଚାରି ମହଲା କୋଠାବାଡ଼ି, ବୁର୍ଲା ପଠାନବନ୍ଧ ସ୍ଥିତ ଏକ ବାସଗୃହ, ବରଗଡ଼ ଜିଲ୍ଲା ଗୋବିନ୍ଦପାଲି ସ୍ଥିତ ଅନ୍ୟ ଏକ କୋଠା ଓ ଭିମସାର ସୁପରିଟେଣ୍ଡେଣ୍ଟ କାର୍ଯ୍ୟାଳୟରେ ଥିବା ତାଙ୍କର ନିଜସ୍ୱ ଚାମ୍ବର I ବର୍ତ୍ତମାନ ସୁଦ୍ଧା ସମସ୍ତ ସ୍ଥାନରେ ଭିଜିଲାନ୍ସ ବିଭାଗର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଚଢ଼ଉ ଶେଷ ହେବା ପରେ କେତେ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ସୁନା ଗହଣା ଏବଂ ନଗଦ ଟଙ୍କା ଜବତ ହୋଇଛି, ସେ ନେଇ ସମ୍ପୂର୍ଣ୍ଣ ସୂଚନା ମିଳିପାରିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାଯାଇଛି I


