କେନ୍ଦୁଝର,୧୦//୭:(ଉତ୍କଳ ସମାଚାର)ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲ୍ଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜେଡିର ତଥ୍ୟ ଅନୁସନ୍ଧାନକାରୀ ଦଳ । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗଠିତ ହୋଇଥିବା ବିଜେଡି ତଥ୍ୟ ଅନୁସନ୍ଧାନକାରୀ ଦଳ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଗୁରୁବାର ଦିନ କେନ୍ଦୁଝର ଜିଲ୍ଲରେ ତେଲକୋଇ,ବାଂଶପାଳ ଓ ହରିଚନ୍ଦନପୁର ଗସ୍ତ କରି ମୃତ୍ୟୁବରଣ କରିଥିବା ବାଳିକାଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କୁ ଭେଟିବା ସହିତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ କେନ୍ଦୁଝର ରୋଟାରୀ କ୍ଲବ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି କେନ୍ଦୁଝର ଜିଲ୍ଲାର ଦୁଇଗୋଟି ଘଟଣା ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ଓ ୧୫ଜଣ ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଜାତୀୟ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ଆଲୋଡନ ଖେଳାଇ ଦେଇଥିବାବେଳେ ପ୍ରଶାସନ କେନ୍ଦୁଝର ଜିଲ୍ଲାରେ ବିଫଳ ହୋଇଛି ବୋଳି ପ୍ରକାଶ କରିଥିଲେ । ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗୁରୁତର ଭାବେ ନେଇ ତାଙ୍କ ଅନୁସୁଚିତ ଜାତି ଓ ଜନଜାତି ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ବିଜେଡି ଦାବୀ କରିଛି । ରାଜ୍ୟରେ ଥିବା ୧୩ଗୋଟି ଆଦିମ ଜନଜାତି ଆଜି ବିଶେଷ ଭାବରେ ଅବହେଳିତ ଅବସ୍ଥାରେ ଥିବାବେଳେ କୁବେରପୁରୀ କେନ୍ଦୁଝରରେ ଦାରିଦ୍ର୍ୟ ସୀମା ଲଂଘନ କରିଛି । କେନ୍ଦୁଝର ଜିଲ୍ଲାର ଏହି ଜୁଆଙ୍ଗ ଜନଜାତିମାନଙ୍କ ପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ଜୁଆଙ୍ଗ ଉନ୍ନୟନ ସଂସ୍ଥା,ମନରେଗା ଯୋଜନା,ଭିବିଜି-ରାମଜି, ଜିବୀକା ମିଶନ,ବ୍ଲକ ପ୍ରଶାସନ,ଗ୍ରାମ୍ୟ ଉନ୍ନୟନ ବିଭାଗ ଆଦି ବିଫଳ ହୋଇଥିବା କଥା ଶ୍ରୀ ଦାସବର୍ମା ପ୍ରକାଶ କରିଛନ୍ତି । କେନ୍ଦୁଝର ଜିଲ୍ଲାର୧୪ଜଣ ଜୁଆଙ୍ଗ ବାଳିକା ଓ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରର ଜଣେ ବାଳିକାଙ୍କ ମଧ୍ୟରୁ ଅନେକ ଶିଶୁ ଅଛନ୍ତି, ଯେଉଁମାନେ ସ୍କୁଲ ଯିବା କଥା ସେମାନେ ଦାଦନ ଖଟିବାକୁ ଯାଇଥିବାବେଳେ କେତେ ଜଣ ଜୁଆଙ୍ଗ ଦାଦନ ଖଟିବାକୁ ଯାଇଛନ୍ତି,କେତେ ଜଣଙ୍କର ଶବ ଫେରିଛି, କେତେଜଣ ଚିକିତ୍ସିତ ହେଉଛନ୍ତି ଆଉ କେତେ ଜଣ ଅଛନ୍ତି ତାହା ରାଜ୍ୟବାସୀ ଜାଣିବାର ଅଧିକାର ଅଛି ବୋଳି ଶ୍ରୀ ଦାମବର୍ମା କହିଛନ୍ତି । ଡବଲ ଇଂଜିନ ସରକାର ପ୍ରତ୍ୟେକଟି କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ସେ କହିଥିବାବେଳେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଶତକଡା ୯୦ପ୍ରତିଶତ ଜୁଆଙ୍ଗ ଗ୍ରାମକୁ ଯାଇନାହାନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସବର୍ମା ଅଭିଯୋଗ କରିଥିଲେ । ଜିତୁ ମୁଣ୍ଡା ଘଟଣା ସହ ଜୁଆଙ୍ଗଙ୍କ ମୃତ୍ୟୁ ପ୍ରମାଣିତ କରିଛି ଯେ, ରାଜ୍ୟରେ ଓ କେନ୍ଦୁଝର ଜିଲ୍ଲାରେ ବ୍ୟବସ୍ଥା ବିଫଳ ହୋଇଛି । କେବଳ ପ୍ରଚାରରେ ଦେଶ ବା ରାଜ୍ୟର ବିକାଶ ହୁଏ ନାହିଁ,ଏଥିପାଇଁ ନିଷ୍ଠା ଓ ଆଗ୍ରହ ଆବଶ୍ୟକ ବୋଲି ସେ କହିଥିବାବେଳେ ଜୁଆଙ୍ଗମାନଙ୍କୁ ବିକାଶର ଧାରାକୁ ତ୍ୱରାନ୍ୱିତ କରିବାକୁ ସେ ଦାବୀ କରିଥିଲେ । କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ ଜୁଆଙ୍ଗ ଗାଁ ମାନଙ୍କୁ ସବୁଦିନିଆ ରାସ୍ତା ହେବା ଆବଶ୍ୟକ । ଅତୀତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସବୁଦିନିଆ ରାସ୍ତା ହୋଇଥିବାବେଳେ ଏବେ ବର୍ଷାରେ କଟ ଅଫ ହୋଇଥିବା ଗାଁ ଗୁଡିକ ପ୍ରତି ସରକାର ଦୃଷ୍ଟି ଦଇ ଯୁଦ୍ଧକାଳୀନ ଭାବରେ ରାସ୍ତା କରିବା ଆବଶ୍ୟକ । ବାଂଶପାଳ ବ୍ଲକର ରାଇଗୋଡା ଗ୍ରାମର ଜଣେ ୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା ଉଦ୍ୟମ କରିବା ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଘୋର ଉଦବେଗ ପ୍ରକାଶ କରି କହିଥିଲେ ଯେ, ପିଡୀତାଙ୍କୁ ଭେଟିବାକୁ ଏହି ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିସାôଳୟକୁ ଯାଇଥିବାବେଳେ ବେଡ ଅଭାବରୁ ସେ ତଳେ ଚିକିତ୍ସିତ ହେଉଛନ୍ତି ବୋଲି ଦେଖିବାକୁ ପାଇଥିଲେ ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶ୍ରୀ ରାୟ କହିଥିଲେ ଯେ, ରାଜ୍ୟରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଷୁଡି ପଡିଛି । ଏହୀି ସାମ୍ବାଦିକ ସମ୍ମିଳନୀରେ ସୋର ବିଧାୟକ ମାଧବ ଧଡା, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ,ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର,ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ,ମୟୁରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡି ନେତା ଦେବାଶିଷ ମାରାଣ୍ଡି,ଧନୁର୍ଜୟ ସିଦ୍ଦୁ,ଜିଲ୍ଲା ଯୁବ ଜନତା ଦଳ ସଭାପତି ରାକେଶ ରାମ,ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ,ମୀନା ମାଝୀ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ଜିଲ୍ଲା କୋଷାଧକ୍ଷ ରକ୍ଷାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମୃତୃୁବରଣ କରିଥିବା ଜୁଆଙ୍ଗ ପରିବାରଙ୍କୁ ବିଜେଡି ପକ୍ଷରୁ ୨୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
