ନବରଙ୍ଗପୁର ୧୩/୦୭:(ଉତ୍କଳ ସମାଚାର) (ନରସିଂବାଘ ): ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡିହୀ ପଞ୍ଚାୟତର ହନ୍ଦାପାରା ଗ୍ରାମର ଜଣେ ଭିନ୍ନକ୍ଷମ ମହିଳା ସୁକଲ ହରିଜନ ବୈଧ ପ୍ରମାଣପତ୍ର ଥିବା ସତ୍ତ୍ୱେ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ରହିଥିବା ଅଭିଯୋଗ ଉଠିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ସୁକଲ ହରିଜନ ୨୦୧୩ ମସିହାରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେ ଭିନ୍ନକ୍ଷମ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ରହିଛନ୍ତି। ବର୍ତ୍ତମାନ ସେ କେବଳ ସରକାରଙ୍କ ପକ୍ଷରୁ ମିଳୁଥିବା ୫ କେଜି ମାଗଣା ଚାଉଳରେ ନିର୍ଭରଶୀଳ ଥିବା କଥା କହିଛନ୍ତି।ଅଭିଯୋଗ ଅନୁଯାୟୀ, ସୁକଲ ହରିଜନ ଓ ତାଙ୍କ ସ୍ୱାମୀ ଜରିପାଳ ତଳେ ଜୀବନଯାପନ କରୁଛନ୍ତି। ପରିବାରରେ କେବଳ ଦୁଇଜଣ ଥିବା ବେଳେ ସ୍ୱାମୀ ଦିନମଜୁରି କରି ପରିବାରକୁ ପ୍ରତିପୋଷଣ କରୁଛନ୍ତି। ଦୀର୍ଘଦିନ ଧରି ଆର୍ଥିକ ଅନଟନ ମଧ୍ୟରେ ଜୀବନ ବିତାଉଥିଲେ ମଧ୍ୟ ଯୋଗ୍ୟ ହୋଇଥିବା ସତ୍ତ୍ୱେ ସରକାରୀ ସହାୟତା ନ ମିଳିବାକୁ ସେ ଦୁଃଖ ପ୍ରକାଶ କରିଛନ୍ତି।ସ୍ଥାନୀୟ ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ, ସୁକଲଙ୍କ ପାଖରେ ବୈଧ ଭିନ୍ନକ୍ଷମ ପ୍ରମାଣପତ୍ର ଥିଲେ ମଧ୍ୟ ସେ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି। ଫଳରେ ତାଙ୍କ ଦୈନିକ ଜୀବନଯାପନରେ ଅନେକ ସମସ୍ୟା ସୃଷ୍ଟି ହୋଇଛି।ଏନେଇ ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶାସନଙ୍କ ତତ୍କାଳ ହସ୍ତକ୍ଷେପ ଦାବି କରିଛନ୍ତି। ଘଟଣାର ଯାଞ୍ଚ କରି ସୁକଲ ହରିଜନଙ୍କୁ ଯୋଗ୍ୟତା ଅନୁଯାୟୀ ଭିନ୍ନକ୍ଷମ ଭତ୍ତା, ଆବାସ ଯୋଜନା ଓ ଅନ୍ୟାନ୍ୟ ସରକାରୀ ସୁବିଧା ଶୀଘ୍ର ପ୍ରଦାନ କରିବାକୁ ଦାବି ଜୋରଦାର ହୋଇଛି।
