ପ୍ରକୃତ ସାମ୍ବାଦିକଙ୍କ ଛବି ଉପରେ ପଡ଼ୁଛି ପ୍ରଭାବ, ପ୍ରଶାସନୀୟ ତଦନ୍ତ ଦାବି
ରାଇଘର,13//7,(ଉତ୍କଳ ସମାଚାର) (ନରସିଂବାଘ): ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ କିଛି ବ୍ୟକ୍ତି ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ବିଭିନ୍ନ ବ୍ୟବସାୟୀ, ଦୋକାନୀ ଓ ସାଧାରଣ ଲୋକଙ୍କଠାରୁ ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିଥିବାବେଳେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ମଧ୍ୟ ପ୍ରକାଶ ପାଉଛି।ସ୍ଥାନୀୟ ସୂତ୍ରରୁ ପ୍ରକାଶ, କିଛି ଅସାମାଜିକ ବ୍ୟକ୍ତି ସାମ୍ବାଦିକ ପରିଚୟର ଅପବ୍ୟବହାର କରି ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ଭୟଭୀତ କରିବା ସହ ଟଙ୍କା ଦେବା ପାଇଁ ଚାପ ସୃଷ୍ଟି କରୁଛନ୍ତି। କେତେକ ଘଟଣାରେ ସେମାନେ ‘ଖବର ପ୍ରକାଶ’ କରିବାର ଭୟ ଦେଖାଇ ଅର୍ଥ ଆଦାୟ କରିବାକୁ ମଧ୍ୟ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି।ଏପରି କାର୍ଯ୍ୟକଳାପ ଯୋଗୁଁ ପ୍ରକୃତ ସାମ୍ବାଦିକମାନଙ୍କ ଛବି ଉପରେ ଖରାପ ପ୍ରଭାବ ପଡ଼ୁଥିବା ବୋଲି ସାମ୍ବାଦିକ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକୃତ ସାମ୍ବାଦିକମାନେ ସମାଜର ସମସ୍ୟାକୁ ଲୋକଲୋଚନକୁ ଆଣିବା ଓ ଜନସାଧାରଣଙ୍କ ସ୍ୱରକୁ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇବାରେ ଲାଗିଥିବା ବେଳେ, କିଛି ଅସାଧୁ ବ୍ୟକ୍ତିଙ୍କ ଏପରି ଆଚରଣ ସମଗ୍ର ସାମ୍ବାଦିକ ସମାଜକୁ ବଦନାମ କରୁଥିବା ମତ ପ୍ରକାଶ ପାଉଛି।ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ କହିଛନ୍ତି, ଯେଉଁମାନେ ପ୍ରକୃତରେ କୌଣସି ଗଣମାଧ୍ୟମ ସହିତ ଜଡ଼ିତ ନୁହନ୍ତି ସେମାନେ ସାମ୍ବାଦିକ ପରିଚୟ ଦେଇ ସମାଜରେ ଭ୍ରମ ସୃଷ୍ଟି କରୁଛନ୍ତି। ତେଣୁ ଏପରି ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବା ଆବଶ୍ୟକ।ଯଦି ଏହିପରି ଘଟଣା ଉପରେ ସମୟମଧ୍ୟରେ ଅଙ୍କୁଶ ନ ଲାଗିଲେ, ସାଧାରଣ ଲୋକଙ୍କ ବିଶ୍ୱାସ ଗଣମାଧ୍ୟମ ଉପରୁ କମିଯିବାର ଆଶଙ୍କା ରହିଛି ବୋଲି ମତ ପ୍ରକାଶ ପାଉଛି।ଏହି ପରିପ୍ରେକ୍ଷିତରେ ସଚେତନ ନାଗରିକମାନେ ପ୍ରଶାସନଙ୍କୁ ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରିବା ସହ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସେହିପରି ସାଧାରଣ ଲୋକଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ଯେ, କେହି ସାମ୍ବାଦିକ ପରିଚୟ ଦେଲେ ତାଙ୍କର ପରିଚୟପତ୍ର ଯାଞ୍ଚ କରନ୍ତୁ ଏବଂ କୌଣସି ଅବୈଧ ଅର୍ଥ ଦାବି ହେଲେ ତୁରନ୍ତ ସ୍ଥାନୀୟ ପୁଲିସ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ।
