ରାଇଘର, ନରସିଂ ବାଘ (ଉତ୍କଳ ସମାଚାର) ୧୮/୦୭ : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ମୋହଣ୍ଡ ପଂଚା ଅଧୀନରେ ଥିବା କୋଷରାଭାଟା ଗ୍ରାମରେ ବିଦ୍ୟୁତ ବ୍ୟବସ୍ଥା ସମ୍ବନ୍ଧୀୟ ଏକ ଗୁରୁତର ସମସ୍ୟା ଦୀର୍ଘଦିନ ଧରି ଅବହେଳିତ ରହିଛି। ଗ୍ରାମ ମଝିରେ ଥିବା ଏକ ପୁରୁଣା ତେନ୍ତୁଳି ଗଛରେ ବିଦ୍ୟୁତ ତାର ଝୁଲି ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ପ୍ରାୟ ଦୁଇ ମାସ ହେଲା ଏହି ବିଦ୍ୟୁତ ତାର ଗଛ ଶାଖାରେ ଫସି ଝୁଲି ରହିଛି। ଏହା ଯେକୌଣସି ସମୟରେ ଛିଣ୍ଡି ପଡ଼ି ବଡ଼ ଦୁର୍ଘଟଣା ଘଟାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି। ଗ୍ରାମର ଲୋକମାନେ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ଜୀବନ ଝୁମ୍ପରେ ରଖି ଯାଉଛନ୍ତି।ବର୍ଷା ଋତୁ ଚାଲିଥିବାରୁ ଗଛ ଓ ଭୂମି ଭିଜା ରହୁଥିବା ସମୟରେ ବିଦ୍ୟୁତ ଝଟକା ଲାଗିବାର ଆଶଙ୍କା ଅଧିକ ରହିଛି। ଛୋଟ ପିଲାମାନେ ଗଛ ତଳେ ଖେଳୁଥିବା ସହିତ ଗୋଂଧାଳି ପଶୁମାନେ ମଧ୍ୟ ସେଠାରେ ଘୁରୁଥିବାରୁ ଏହି ବିପଦ ଅଧିକ ଭୟାବହ ହୋଇପଡ଼ିଛି।ସ୍ଥାନୀୟ ଗ୍ରାମବାସୀମାନେ ଏହି ସମସ୍ୟାକୁ ନେଇ ବହୁଥର ବିଦ୍ୟୁତ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ, ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନିଆଯାଇଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗର ଏପରି ଅଲସତା ଓ ଅବହେଳାକୁ ନେଇ ସ୍ଥାନୀୟମାନେ କ୍ଷୋଭ ପ୍ରକାଶ କରିଛନ୍ତି।ସଚେତନ ନାଗରିକମାନେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଶୀଘ୍ର ଏହି ବିପଦଜନକ ବିଦ୍ୟୁତ ତାରକୁ ସୁଧାରା ଯାଇନାହିଁ, ତେବେ ଯେକୌଣସି ସମୟରେ ଅପରିହାର୍ଯ୍ୟ ଦୁର୍ଘଟଣା ଘଟିପାରେ। ତେଣୁ ସେମାନେ ତୁରନ୍ତ ଏହାର ସମାଧାନ କରିବାକୁ ବିଦ୍ୟୁତ ବିଭାଗ ଓ ପ୍ରଶାସନଙ୍କୁ ଜୋରଦାର ଦାବି କରିଛନ୍ତି।ଏହା ସହିତ, ଯଦି ଶୀଘ୍ର ପଦକ୍ଷେପ ନ ନିଆଯାଏ, ତେବେ ଗ୍ରାମବାସୀ ଏକତ୍ରିତ ହୋଇ ଆନ୍ଦୋଳନର ମାର୍ଗ ଅନୁସରଣ କରିବେ ବୋଲି ସତର୍କ କରିଛନ୍ତି।

