ଫର୍ଟିଲାଇଜର (ରାଉରକେଲା) ୧୮/୭,(ଉତ୍କଳ ସମାଚାର) ଚଳିତ ରଥଯାତ୍ରାରେ ଠାକୁରରାଜା ହେବାକୁ ନେଇ ଫର୍ଟିଲାଇଜର ସହରର ଜଗନ୍ନାଥ ମନ୍ଦିର କମିଟି ଏବଂ ମାଉସୀ ମାଆ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହୋଇଥିଲା ଯେ, ମାଉସୀ ମାଆ ମନ୍ଦିର କମିଟିର ସଦସ୍ୟମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରୁ ଓହ୍ଲାଇବାକୁ ଦେଇନଥିଲେ। ଘଟଣାକୁ ନେଇ ମାଉସୀ ମାଆ ମନ୍ଦିର ନିକଟରେ ଭଭୟ କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଯୁକ୍ତିତର୍କ ସହ ଅପ୍ରିତିକର ପରିସ୍ଥିତି ପର୍ଯ୍ୟନ୍ତ କଥା ଯାଇଥିଲା। ମାଉସୀ ମାଆ ମନ୍ଦିର ନିକଟରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଅଧିକାରୀଙ୍କୁ ପରିସ୍ଥିତି ନିୟନ୍ତ୍ରଣ କରିବା ନାକେଦମ୍ ହେବାକୁ ପଡ଼ିଥିଲା। ପ୍ରାୟ ୩ ଘଣ୍ଟା ପରେ ମାଉସୀ ମାଆ ମନ୍ଦିରର କର୍ମକର୍ତ୍ତାମାନେ ରଥରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରୁ ଓହ୍ଲାଇବାକୁ ଦେଇଥିଲେ। ସୂଚନା ଅନୁସାରେ, ରାଉରକେଲା ଫର୍ଟିଲାଇଜର ସେକ୍ଟର-୨୨ ବି-ବ୍ଲକରେ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଇ-ବ୍ଲକରେ ଗୁଣ୍ଡିଚା ମନ୍ଦିର ଅର୍ଥାତ୍ ମାଉସୀ ମାଆ ମନ୍ଦିର ରହିଛି। ସ୍ଥାନୀୟ ଅଞ୍ଚଳର ପରମ୍ପରା ଅନୁଯାୟୀ ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ଗଜପତି ମହାରାଜା ଅର୍ଥାତ୍ ଠାକୁରରାଜା ଓ ମାଉସୀ ମାଆ ମନ୍ଦିରରେ ଅନ୍ୟ ଜଣେ ଠାକୁରରାଜା ପ୍ରତିବର୍ଷ ଛେରାପହଁରା କରିଥାନ୍ତି। ଚଳିତ ବର୍ଷ କିନ୍ତୁ ଶ୍ରୀ ଜଗନ୍ନାଥ ମନ୍ଦିରର ଯିଏ ଠାକୁରରାଜା ହୋଇଛନ୍ତି, ସେ ମାଉସୀ ମା ମନ୍ଦିରରେ ଠାକୁରରାଜା ହେବା ସହ ଛେରାପହଁରା କରିବାକୁ ଜିଦ୍ ଧରିଥିଲେ। ଏହାକୁ ମାଉସୀ ମାଆ ମନ୍ଦିର କମିଟି ପକ୍ଷରୁ କଡ଼ା ବିରୋଧ କରାଯାଇଥିଲା। ରଥଯାତ୍ରା ଶେଷ ପର୍ଯ୍ୟନ୍ତ ସମାଧାନର କୌଣସି ବାଟ ବାହାରି ପାରିନଥିଲା। ଏସବୁ ବାଦବିବାଦ ମଧ୍ୟରେ ରଥଯାତ୍ରା ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଉଭୟ ମନ୍ଦିର କମିଟି ମଧ୍ୟରେ ପୁଣି ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ମାଉସୀ ମାଆ କମିଟିର କର୍ମକର୍ତ୍ତାମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରୁ ଓହ୍ଲାଇବାକୁ ଦେଇନଥିଲେ। ପରିଶେଷରେ ଟାଙ୍ଗରପାଲ୍ଲୀ ଥାନା ଆଇଆଇସିଙ୍କ ହସ୍ତକ୍ଷେପ ଫଳରେ ଉଭୟ ମନ୍ଦିର କମିଟିଙ୍କୁ ବୁଝାସୁଝା କରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରୁ ଓହ୍ଲାଇ ଶ୍ରୀ ଶ୍ରୀ ଗୁଣ୍ଡିଚା ମାଆ ମନ୍ଦିର ଆଡପ ମଣ୍ଡପରେ ବିଜେ କରାଇଥିଲେ। ଏଠାରେ ସ୍ମରଣଯୋଗ୍ଯ ଯେ, ଚଳିତ ବର୍ଷ ଫର୍ଟିଲାଇଜର ସେକ୍ଟର-୨୨ ଇ-ବ୍ଲକ ମାର୍କେଟରେ ଥିବା ଶ୍ରୀ ଶ୍ରୀ ଗୁଣ୍ଡିଚା ମାଆ ଟ୍ରଷ୍ଟ ପକ୍ଷରୁ ରାଉରକେଲା ତହସିଲଦାରଙ୍କୁ ଆଜି ଏକ ସ୍ମାରକପତ୍ର ଦିଆଯାଇ ଉଲ୍ଲେଖ କରାଯାଇଛି ଯେ, ଫର୍ଟିଲାଇଜର ବି-ବ୍ଲକର ଶ୍ରୀଜଗନ୍ନାଥଙ୍କ ମନ୍ଦିରର ୨ ବର୍ଷ ଧରି ଛେରାପହଁରା କରୁଥିବା ପ୍ରଧାନ ସେବକ ଠାକୁରରାଜା ସ୍ମୃତିରଞ୍ଜନ ମିଶ୍ର, ଚଳିତ ବର୍ଷ ଇ-ବ୍ଲକ ଶ୍ରୀ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଛେରାପହଁରା କରିବା ପାଇଁ ଦେବୋତ୍ତର ବିଭାଗରୁ ଏକ ଚିଠି ଆଣିଛନ୍ତି। ପୂର୍ବରୁ ଥିବା ପରମ୍ପରା ଅନୁସାରେ ଦୁଇଟି ମନ୍ଦିରରେ ଦୁଇଜଣ ରାଜା ଛେରାପହଁରା କରୁଥିଲେ। ପୂର୍ବ ପରମ୍ପରାକୁ ବଜାୟ ରଖିବା ପାଇଁ ଶ୍ରୀ ଶ୍ରୀ ଗୁଣ୍ଡିଚା ମାଆ ଟ୍ରଷ୍ଟ ପକ୍ଷରୁ ରାଉରକେଲା ତହସିଲଦାରଙ୍କୁ ସ୍ମାରକପତ୍ରରେ ଅନୁରୋଧ କରାଯାଇଛି। ରାଉରକେଲା ତହସିଲଦାର ଏହାକୁ ଗମ୍ଭୀରତାର ସହ ନେଇ ଦେବୋତ୍ତରର ବିଭାଗକୁ ଜଣାଇବା ସହିତ ତାଙ୍କ ନିର୍ଦ୍ଦେଶ ଅନୁସାରେ ସମାଧାନ ହେବ ବୋଲି ଉଭୟ ମନ୍ଦିର କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।

