ରାଇଘର, ନରସିଂବାଘ. (ଉତ୍କଳ ସମାଚାର). 25/07.ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପ ଅଧୀନରେ ନିର୍ମିତ ଏକାଧିକ ଓଭରବ୍ରିଜ ତଳେ ବର୍ଷା ପାଣି ଜମି କୃତ୍ରିମ ପୋଖରୀର ରୂପ ନେଇଥିବାରୁ ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତାୟାତରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଜଳ ନିଷ୍କାସନ ବ୍ୟବସ୍ଥାର ଅଭାବ ଏବଂ ନିର୍ମାଣ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।ବିଶେଷକରି ଦେବାଗାଁ, କୁରୁବେଳା ଓ ଜୁନାନିପାରା ଅଞ୍ଚଳର ଓଭରବ୍ରିଜ ତଳେ ବହୁ ପରିମାଣରେ ବର୍ଷା ପାଣି ଜମି ରହୁଥିବାରୁ ରାସ୍ତା ଅତିକ୍ରମ କରିବା ବିପଦପୂର୍ଣ୍ଣ ହୋଇପଡ଼ିଛି। ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକ, ଦୁଇଚକିଆ ଚାଳକ ଏବଂ ସ୍କୁଲ-କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ଯାତାୟାତ କରୁଥିବା ବେଳେ ସେମାନଙ୍କୁ ଜମିଥିବା ପାଣି ଭିତରେ ଯିବାକୁ ବାଧ୍ୟ ହେବାକୁ ପଡ଼ୁଛି।ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପାଣି ଭିତରେ ରାସ୍ତାର ଗାତ ଓ ଭଙ୍ଗା ଅଂଶ ଦେଖା ନଯିବାରୁ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିପାରେ। ବର୍ଷା ଛାଡ଼ିଯିବା ପରେ ମଧ୍ୟ ଦୀର୍ଘ ସମୟ ଧରି ପାଣି ଜମି ରହୁଥିବାରୁ ଲୋକମାନଙ୍କ ଦୁର୍ଭୋଗ ଆହୁରି ବଢ଼ିଯାଉଛି।ଅଞ୍ଚଳବାସୀଙ୍କ ଅଭିଯୋଗ, ବାରମ୍ବାର ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କିମ୍ବା ନିର୍ମାଣ ସଂସ୍ଥା ପକ୍ଷରୁ ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ପ୍ରତ୍ୟେକ ବର୍ଷା ଋତୁରେ ଏହି ସମସ୍ୟା ପୁଣି ଉଭା ହେଉଛି।ଏନେଇ ଅଞ୍ଚଳବାସୀ ଭାରତମାଳା ପ୍ରକଳ୍ପ ଅଧୀନରେ ନିର୍ମିତ ଓଭରବ୍ରିଜ ତଳ ରାସ୍ତାଗୁଡ଼ିକର ତୁରନ୍ତ ବୈଷୟିକ ଯାଞ୍ଚ କରି ସଠିକ୍ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ରାସ୍ତାର ସମସ୍ତ ତ୍ରୁଟି ଦୂର କରି ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବାକୁ ପ୍ରଶାସନ ଓ ସମ୍ପୃକ୍ତ ନିର୍ମାଣ ସଂସ୍ଥାଙ୍କ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି।

