ରାଇଘର:ନରସିଂବାଘ (ଉତ୍କଳ ସମାଚାର).25//7, ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ପୋଲିସ ପକ୍ଷରୁ ଗୋନା ସାପ୍ତାହିକ ହାଟରେ ଚଢ଼ାଉ କରି ବେଆଇନ ଭାବେ ବିଅର ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୪୫ ଲିଟର ବିଅର ଜବତ କରାଯାଇଛି। ଏହି ଘଟଣା ପରେ ରାଇଘର ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାରକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁସାରେ, ରାଇଘର ଥାନା ଅଧିକାରୀ ଟିକେଚାନ୍ଦ ବାହୁବଳୀ ଖଟୁଆଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗୋନା ସାପ୍ତାହିକ ହାଟରେ ଚଢ଼ାଉ କରିଥିଲେ। ସେଠାରେ ବିଜେନ୍ଦ୍ର ମଣ୍ଡଳ ନାମକ ବ୍ୟକ୍ତି ବେଆଇନ ଭାବେ ବିଅର ବିକ୍ରି କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ମୋଟ ୪୫ ଲିଟର ବିଅର, ଅର୍ଥାତ ୫୨ଟି ବିଅର ବୋତଲ ଓ ୧୩ଟି କେନ୍ ବିଅର ଜବତ କରାଯାଇଛି।ରାଇଘର ଅଞ୍ଚଳରେ ଦିନକୁ ଦିନ ବେଆଇନ ବିଦେଶୀ ମଦ କାରବାର ବଢ଼ୁଥିବା ଅଭିଯୋଗ ହୋଇଆସୁଛି। ସରକାରୀ ଭାବେ ରାଇଘରରେ ଦୁଇଟି ଏବଂ ହାଟଭରଣ୍ଡୀରେ ଗୋଟିଏ ଅନୁମୋଦିତ ବିଦେଶୀ ମଦ ବିକ୍ରୟ କେନ୍ଦ୍ର ଥିବା ସତ୍ତ୍ୱେ, ଗାଁ ଗାଁରେ ଓ ସାପ୍ତାହିକ ହାଟରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି। ଏହି ମଦ କେଉଁଠାରୁ ଆସୁଛି ଏବଂ କିପରି ଗ୍ରାମାଞ୍ଚଳରେ ପହଞ୍ଚୁଛି, ତାହାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠୁଛି।ପୋଲିସକୁ ମିଳିଥିବା ସୂଚନା ଆଧାରରେ ଗତକାଲି ଏହି ଚଢ଼ାଉ କରାଯାଇଥିଲା। ଘଟଣା ସମ୍ପର୍କରେ ରାଇଘର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବେଆଇନ ମଦ କାରବାରର ଉତ୍ସ ଏବଂ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ଟିକେଚାନ୍ଦ ବାହୁବଳୀ ଖଟୁଆ ସୂଚନା ଦେଇଛନ୍ତି।

