ରାଇଘର:25//7,(ଉତ୍କଳ ସମାଚାର) ନବରଙ୍ଗପୁର ଜିଲ୍ଲାର ରାଇଘର ଓ କୁନ୍ଦେଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦିନ ଦାହାଡ଼େ ଖୋଲାଖୋଲି ଜୁଆଖେଳ ଚାଲୁଥିବା ଅଭିଯୋଗ ହୋଇଛି। କେତେକ ସ୍ଥାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଥିବା ବେଳେ, ଆଉ କେତେକ ଅଞ୍ଚଳରେ ନିର୍ବିଘ୍ନରେ ଜୁଆଖେଳ ଚାଲିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶାସନର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କୁନ୍ଦେଇ ଥାନା ଅନ୍ତର୍ଗତ ଜାଣିପାରା, କିବେକଙ୍ଗା, ତୁରୁଡ଼ିହି, କୋସକଙ୍ଗା ଓ ହିରୀ ସର୍ଗିପାରା ସମେତ ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି ଜୁଆ ଆସର ବସୁଥିବା କୁହାଯାଉଛି। ସେହିପରି ରାଇଘର ଥାନା ଅଞ୍ଚଳର ଦାସପୁର, ଜଳଙ୍ଗପାରା, ସଭାପାରା ଓ ସାପ୍ତାହିକ ବଜାର ଅଞ୍ଚଳରେ ମଧ୍ୟ ଜୁଆଡ଼ିଙ୍କ ଭିଡ଼ ଜମୁଥିବା ଅଭିଯୋଗ ରହିଛି।ସ୍ଥାନୀୟଙ୍କ କହିବା ଅନୁସାରେ, ଏହି ଜୁଆ ଆସରରେ ଅନେକ ନିରୀହ ଆଦିବାସୀ ଓ ଶ୍ରମଜୀବୀ ଲୋକ ନିଜର କଷ୍ଟଉପାର୍ଜିତ ଅର୍ଥ ହରାଇ ସର୍ବସ୍ୱାନ୍ତ ହେଉଛନ୍ତି। କେତେକ ପରିବାରରେ ଏହାକୁ କେନ୍ଦ୍ର କରି ଅଶାନ୍ତି ସୃଷ୍ଟି ହେଉଥିବା ମଧ୍ୟ ଆଲୋଚନା ହେଉଛି। ଯୁବପିଢ଼ି ମଦ୍ୟପାନ ଓ ଜୁଆ ଭଳି ଅସାମାଜିକ କାର୍ଯ୍ୟରେ ଜଡ଼ିତ ହେଉଥିବାରୁ ସାମାଜିକ ପରିବେଶ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଥିବା କୁହାଯାଉଛି।ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏପରି ମଧ୍ୟ ଆଲୋଚନା ହେଉଛି ଯେ, କେତେକ ଲୋକ ଜୁଆ ଖେଳିବା ପାଇଁ ଘରୁ ଟଙ୍କା, ଧାନ, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ବିକ୍ରି କରି ସେହି ଟଙ୍କା ଙ୍କୁ ବାଜି ଲଗାଉଛନ୍ତି।ଏହି ପରିସ୍ଥିତିକୁ ନେଇ ଅଞ୍ଚଳବାସୀ କୁନ୍ଦେଇ ଓ ରାଇଘର ପୋଲିସ ପ୍ରଶାସନ ତୁରନ୍ତ ଏହି ଅଞ୍ଚଳଗୁଡ଼ିକରେ ସ୍ୱତନ୍ତ୍ର ଚଢ଼ାଉ କରି ବେଆଇନ ଜୁଆ ଆଡ଼ା ବନ୍ଦ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି।ଏହି ଅଭିଯୋଗ ସମ୍ପର୍କରେ କୁନ୍ଦେଇ କିମ୍ବା ରାଇଘର ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିନାହିଁ।

